Spread the love

ପାଟନା: ବିହାରର ରାଜଧାନୀ ପାଟନାରେ ଶିକ୍ଷକ ନିଯୁକ୍ତି ପରୀକ୍ଷା ବିଜ୍ଞପ୍ତି ପ୍ରକାଶ ଦାବିରେ ଆନ୍ଦୋଳନ କରୁଥିବା ଶହ ଶହ ପ୍ରାର୍ଥୀଙ୍କ ଉପରେ ପୋଲିସ ନିର୍ମମ ଭାବେ ଲାଠିଚାର୍ଜ କରିଛି । ଶୁକ୍ରବାର ଦିନ ପାଟନା କଲେଜରୁ ବାହାରିଥିବା ଏହି ବିଶାଳ ଶୋଭାଯାତ୍ରାରେ ହଜାର ହଜାର ପୁରୁଷ ଓ ମହିଳା ପ୍ରାର୍ଥୀ ସାମିଲ ହୋଇ ବିହାର ସରକାର ଓ ବିହାର ଲୋକସେବା ଆୟୋଗ (ବିପିଏସସି) ବିରୋଧରେ ସ୍ଲୋଗାନ ଦେଇଥିଲେ । ଆଶାୟୀମାନେ ଛାତ୍ର ନେତା ଦିଲୀପଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଜେପି ଗୋଲମ୍ବର ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଯେତେବେଳେ ପ୍ରାର୍ଥୀମାନେ ବାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲେ, ସେତେବେଳେ ପୋଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲାଠିଚାର୍ଜ କରିଥିଲା, ଯାହା ଫଳରେ ଅନେକ ଆନ୍ଦୋଳନକାରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।

ପ୍ରାର୍ଥୀମାନଙ୍କ ଅଭିଯୋଗ ଅନୁଯାୟୀ, ସରକାର ନିଯୁକ୍ତି ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବ କରୁଥିବାରୁ ଲକ୍ଷ ଲକ୍ଷ ଆଶାୟୀ ଶିକ୍ଷକଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାକୁ ଯାଉଛି । ଦୀର୍ଘ ଦିନରୁ ଶିକ୍ଷକ ନିଯୁକ୍ତି ପରୀକ୍ଷା ବିଜ୍ଞପ୍ତି ପାଇଁ ଦାବି ହୋଇ ଆସୁଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ସନ୍ତୋଷଜନକ ପଦକ୍ଷେପ ନିଆଯାଉ ନାହିଁ । ଏଥିସହ ବିପିଏସସି ଦ୍ୱାରା ଲାଗୁ କରାଯାଇଥିବା କିଛି ନୂଆ ନିୟମକୁ ମଧ୍ୟ ଛାତ୍ରମାନେ ତୀବ୍ର ବିରୋଧ କରିଛନ୍ତି ।

ପଦଯାତ୍ରା ସମୟରେ ପୋଲିସ ଓ ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ଯୋଗୁଁ ସମଗ୍ର ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇଥିବା ବେଳେ ପରିସ୍ଥିତି ଉପରେ ନଜର ରଖିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଛାତ୍ରମାନଙ୍କ ଏହି ଆନ୍ଦୋଳନ ଏବେ ବିହାର ରାଜନୀତିରେ ମଧ୍ୟ ହଟଚମଟ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *