Spread the love

ହିଞ୍ଜିଳି: ହିଞ୍ଜିଳିରେ ବୀଭତ୍ସ ହତ୍ୟାକାଣ୍ଡ ନେଇ ମୋହନଙ୍କୁ ଚିଠି ଲେଖିଲେ ନବୀନ । ପୋଲିସର ନିଷ୍କ୍ରିୟତା ଉପରେ ଉଠାଇଲେ ପ୍ରଶ୍ନ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଖରିଡ଼ା ଗ୍ରାମରେ ଘଟିଥିବା ଗର୍ଭବତୀ ମହିଳାଙ୍କ ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଘଟଣାରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।  ଓଡ଼ିଶାର ବିବେକକୁ ଏହି ଦୃଶ୍ଯ ଦୋହଲାଇ ଦେଇଛି ବୋଲି କହିଛନ୍ତି ନବୀନ ।  ସେପଟେ ଆଇନମନ୍ତ୍ରୀ କହିଛନ୍ତି, ଗତକାଲି ହିଞ୍ଜିଳିରେ ଘଟିଥିବା ଘଟଣା ଅତ୍ୟନ୍ତ ହୃଦୟବିଦାରକ ।  ଆମ ସରକାର ସେ ଘଟଣାକୁ ଅତି ଗମ୍ଭୀରତାର ସହ ନେଇଛନ୍ତି ।

ହିଞ୍ଜିଳିରେ ପ୍ରେମିକର ଘର ଆଗରେ ଗର୍ଭବତୀ ପ୍ରେମିକାକୁ ହତ୍ୟା ଘଟଣାରେ ହୃଦୟବିଦାରକ ତଥ୍ୟ ସାମ୍ନାକୁ ଆସୁଛି । ପୂର୍ବରୁ ପୋଲିସ ନିକଟରେ ଅଭିଯୋଗ କରିଥିଲେ ମହିଳା । କିନ୍ତୁ ସେତେବେଳେ ପୋଲିସ ଏ ମାମଲାକୁ ଗୁରୁତ୍ବ ଦେଲାନାହିଁ । ବର୍ତ୍ତମାନ ମଧ୍ୟ, ମହିଳାଙ୍କ ମୃତ ଦେହ ନେବାକୁ କେହି ଆସୁ ନାହାଁନ୍ତି । ମହିଳାଙ୍କର ମାଆ ଓ ବାପା ନାହାନ୍ତି । ଦୂର ସମ୍ପର୍କୀୟ ମୃତ ଦେହ ଗ୍ରହଣ କରିବାକୁ ରାଜି ନୁହଁନ୍ତି । ବ୍ରହ୍ମପୁର ବଡ଼ ମେଡିକାଲରେ ପଡ଼ି ରହିଛି ମୃତ ଦେହ। ନିୟମ ଅନୁସାରେ ୭୨ ଘଣ୍ଟା ପରେ ଶବ ସଂସ୍କାର କରାଯିବ ବୋଲି ପୋଲିସ କହିଛି । ଏ ଘଟଣାରେ ମୋଟ ୩ ଜଣଙ୍କୁ ଅଟକ ରଖିଛି ପୋଲିସ ।

ଗତକାଲି ଗଞ୍ଜାମ ହିଂଜିଳି ଥାନା ଖରିଡା ଗାଁରେ ହତ୍ୟାକାଣ୍ଡ ଘଟିଥିଲା ।  ପ୍ରେମିକ ଘର ଆଗରେ ସ୍ତ୍ରୀର ଅଧିକାର ଲାଗି ଧାରଣା ଦେଇଥିବା ପୂଜା ସ୍ୱାଇଁଙ୍କୁ ନିଜ କୁନି ଝିଅ ସାମ୍ନାରେ ପ୍ରେମିକର ସାନ ଭାଇ ଟାଙ୍ଗିଆରେ ହାଣି ହତ୍ଯା କରିଥିଲା । ମୃତ ପୂଜାଙ୍କ ତିନି ବର୍ଷର ଶିଶୁକୁ CWC ଦ୍ଵାରା ଚାଇଲ୍ଡ ଲାଇନ କୁ ହସ୍ତାନ୍ତର କରାଯାଇଛି । ଖରିଡ଼ା ଗ୍ରାମର ଚିଣ୍ଟୁ ଗୌଡଙ୍କ ସହ ସୋସିଆଲ ମିଡିଆରେ ପୂଜାଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ପୂଜାଙ୍କ ଘର ଗଞ୍ଜା ନିକଟସ୍ଥ ଅଗସ୍ତି ନୂଆଗାଁରେ। ଇନଷ୍ଟାଗ୍ରାମରୁ ଭଲ ପାଇବା ଆରମ୍ଭ ହୋଇ ମନ୍ଦିରରେ ବିବାହ ହୋଇଥିଲା । ପୂଜାଙ୍କର ପୂର୍ବରୁ ଝିଅଟିଏ ଥିବା ବେଳେ ସେ ବର୍ତ୍ତମାନ ଗର୍ଭବତୀ ଥିଲେ । କିଛି ଦିନ ତଳେ ପୂଜାଙ୍କୁ ବ୍ରହ୍ମପୁର ଷ୍ଟେସନ୍ ରେ ଛାଡି ଚାଲି ଯାଇଥିଲା ପ୍ରେମିକ ଚିଣ୍ଟୁ।

ଏହାପରେ ହିଞ୍ଜିଳି ଥାନାର ଦ୍ବାରସ୍ଥ ହୋଇଥିଲେ ପୂଜା । ଏପ୍ରିଲ ୧୯ ତାରିଖରେ ପୋଲିସ ମାମଲା ରୁଜୁ କରି ପୁଅର ପରିବାର ସଦସ୍ୟଙ୍କୁ ଡାକି ନୋଟିସ୍ ଦେଇ ଛାଡି ଦେଇଥିଲା । ଦୁଇ ଦିନ ତଳେ ପୁଣି ନ୍ୟାୟ ଦାବିରେ ଥାନାରେ ପହଞ୍ଚିଥିଲେ ମହିଳା । ପୋଲିସ ପଦକ୍ଷେପ ନ ନେବାରୁ ପ୍ରେମିକ ଘର ଆଗରେ ଧାରଣା ଦେଇଥିଲେ ପୂଜା ।  ଲୋକଲଜ୍ଜାକୁ ନେଇ ପ୍ରେମିକର ସାନ ଭାଇ ଆସି ପୂଜାଙ୍କ ସହ ଯୁକ୍ତି ତର୍କ କରିଥିଲା । ଏହାପରେ ପ୍ରେମିକର ନାବାଳକ ସାନ ଭାଇ ପୂଜାଙ୍କୁ ହାଣି ହତ୍ୟା କରିଥିଲା ।

Leave a Reply

Your email address will not be published. Required fields are marked *