Spread the love

ଛତ୍ରପୁର : ପ୍ରକୃତିର ଅନନ୍ୟ ବରଦାନ ଏସିଆର ସର୍ବବୃହତ ତଥା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଲବଣାକ୍ତ ଚିଲିକା ହ୍ରଦ ଏବେ ପରିଚୟ ହରାଇବାକୁ ବସିଲାଣି। ବିଭିନ୍ନ କାରଣରୁ ଏହି ହଦ୍ର ପୋତି ହେବା ସହ ଅନେକ ପ୍ରଜାତିର ମାଛବଂଶ ମଧ୍ୟ ବିଲୁପ୍ତ ହେବାରେ ଲାଗିଛି। ଏହାର ଆୟତନ ହ୍ରାସ ପାଇବାରେ ଲାଗିଛି। ଏହା ଉପରେ ନିର୍ଭରଶୀଳ ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲାର ମତ୍ସ୍ୟଜୀବୀ ରୋଜଗାର ହରାଇ ବାହାରକୁ କାମ ଅନ୍ବେଷଣରେ ଚାଲିଯିବାକୁ ବାଧ୍ୟ ହେଉଛନ୍ତି । ୩ ଜିଲାର ୨୪୭ ଗ୍ରାମର ପ୍ରାୟ ୫ ଲକ୍ଷ ମତ୍ସ୍ୟଜୀବୀ ଚିଲିକା ଉପରେ ନିର୍ଭର କରିଥାନ୍ତି। ବିଗତ ଦିନରେ ଚିଲିକାର ଆୟତନ ୨ହଜାର ବର୍ଗ କିମି ଥିବାବେଳେ ଏହା ହ୍ରାସ ପାଇ ମାତ୍ର ୯୬୫ ବର୍ଗ କିମି ଭିତରେ ସିମିତ ରହିଛି।
ପଟୁ, ପ୍ଲାଷ୍ଟିକ ଆବର୍ଜନା, ଅନାବନା ଘାସ ଏବଂ ଦଳ ଜମି ରହିବା ଦ୍ୱାରା ଏହାର ଗଭୀରତା ମଧ୍ୟ କମିବାରେ ଲାଗିଛି। ଚିଲିକାରେ ପୂର୍ବରୁ ସଂଯୋଗ ହୋଇଥିବା ବିଭିନ୍ନ କେନାଲ ପୋତି ହୋଇଗଲାଣି। ଚିଲିକାର ମୁହାଣ ଦୀର୍ଘବର୍ଷ ହେଲା ଖୋଲା ଯାଉ ନ ଥିବାରୁ ସମୁଦ୍ର ପାଣି ଓ ମିଠା ପାଣିର ସନ୍ତୁଳନ ବିଗିଡିବାରେ ଲାଗିଛି। ଅବାଧ ଜିରୋ ନେଟ୍‌ ଜାଲର ବ୍ୟବହାର, ବେଆଇନ ଘେରି ଦିନକୁ ଦିନ ବୃଦ୍ଧି ପାଉଛି।
ଗଞ୍ଜାମର ଋଷିକୁଲ୍ୟା ମୁହାଣରୁ ବାହାରିଥିବା ବିଟ୍ରିଶ ଅମଳର ପାଲୁର ସାହେବ କେନାଲ ପୋତି ହୋଇଗଲାଣି। ଫଳରେ ଋଷିକୁଲ୍ୟାରୁ ଚିଲିକାକୁ ମାଛ ଓ ଜାଆଁଳ ଯାଇପାରୁନି। ଦିନଥିଲା ଦୁଇଶହରୁ ଅଧିକ ପ୍ରଜାତିର ମାଛ, ଚିଙ୍ଗୁଡି ଓ କଙ୍କଡ଼ା ଦେଖାଯାଉଥିଲା। ଚିଙ୍ଗୁଡି ମାଫିଆଙ୍କ ଦୌରାତ୍ମ୍ୟ ପାଇଁ ଚିଲିକାରେ ବିଭିନ୍ନ ପ୍ରଜାତିର ମାଛବଂଶ ଲୋପ ପାଇବାର ଅନ୍ୟତମ କାରଣ ବୋଲି ବ୍ୟବସାୟୀମାନେ କହିଛନ୍ତି।
ଚିଲିକାର ବର୍ତ୍ତମାନର ସ୍ଥିତିକୁ ନେଇ ପରିବେଶବିତମାନେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। କିଛି ସ୍ଥାନୀୟ ନେତାଙ୍କ ଛତ୍ରଛାୟା ଚିଙ୍ଗୁଡି ମାଫିଆମାନେ ଏଠାରେ ଜମିକୁ ନେଇ ବେନାମୀ ଘେରି କରିଛନ୍ତି। ତୁରନ୍ତ ତିନି ଜିଲାର ପ୍ରଶାସନ ଦୃଢ ପଦକ୍ଷେପ ନେବା ଆବଶ୍ୟକ ହୋଇଛି। ମତ୍ସ୍ୟଜୀବୀଙ୍କ ଭାତହାଣ୍ଡି ବିପଦରେ ରହିଛି। ଏହା ଉପରେ ନିର୍ଭର କରୁଥିବା ତିନି ଜିଲାର ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଉଛି। ଦିନ ଥିଲା ଗୋଟିଏ ଥର ଜାଲ ପକାଇଲେ ଟୋକେଇ ଟୋକେଇ ମାଛ ମିଳୁଥିଲା। ଏବେ ଦିନସାରା ପରିଶ୍ରମ କରିଲେ ବି ପରିବାର ଚଳାଇବା କଷ୍ଟକର ହୋଇପଡୁଛି। କୈଳିକ ବୃତ୍ତିକୁ ଛାଡି ୬୦ ପ୍ରତିଶତ ମତ୍ସ୍ୟଜୀବୀ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି।
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଲିକାର ବିକାଶ ପାଇଁ ବିପୁଳ ଅର୍ଥ ଅନୁଦାନ ଆସୁଥିଲେ ମଧ୍ୟ ତାହା କେଉଁ ବାଟରେ ଖର୍ଚ୍ଚ ହେଉଛି ଜଣାପଡୁନି ବୋଲି ମତ୍ସ୍ୟଜୀବୀ ନେତା ଭୀମସେନ ବେହେରା କହିଛନ୍ତି। ୧୯୮୮-୮୯ ଚିଲିକା ନୀତି ନିୟମ ଲାଗୁ କରିବା, ମୁହାଣମୁହଁ ମୁକ୍ତ କରିବା, ପଙ୍କ ଉଦ୍ଧାର, ଘେରି ଉଚ୍ଛେଦର ଆଦି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନକୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *