Spread the love

ପୁଣେ: ମହାରାଷ୍ଟ୍ର ପୁଣେରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ଅତି ନୃଶଂସଭାବେ ଦୁଷ୍କର୍ମ ଓ ହତ୍ୟା କରାଯିବା ପରି ଅତିସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି। ଦୁଷ୍କର୍ମ ଅଭିଯୁକ୍ତ ୬୫ ବର୍ଷୀୟ ଦିନ ମଜୁରିଆ ଭୀମରାଓ କାମ୍ବଲେକୁ ଗିରଫ କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି। ଲୋକମାନେ ଘଟଣାରେ ତୀବ୍ର ପ୍ରତିବାଦ କରିବା ସହିତ ଶୁକ୍ରବାର ରାତିରେ ମୁମ୍ବାଇ-ବେଙ୍ଗାଲୁରୁ ହାଇୱେ ରାସ୍ତ ବନ୍ଦ କରିଦେଇଥିଲେ। ଫଳରେ ଯାତାୟାତ ପ୍ରଭାବିତ ହୋଇଥିଲା। ଅଭିଯୁକ୍ତର ପୂର୍ବରୁ ଅପରାଧିକ ରେକର୍ଡ଼ ଥିବାବେଳେ ପୁଲିସ ତା’ ବିରୋଧରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୫ ଦିନ ଭିତରେ ଚାର୍ଜସିଟ୍‌ ଦାଖଲ କରିବ ବୋଲି କହିଛି। ମେ ୭ ପର୍ଯ୍ୟନ୍ତ ଅଭିଯୁକ୍ତକୁ ପୁଲିସ ହେପାଜତକୁ ପଠାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ଶୁକ୍ରବାର ଦୁଷ୍କର୍ମ ଘଟଣା ଘଟିଥିଲା। ଭୋର୍‌ ଅଞ୍ଚଳରେ ଅଭିଯୁକ୍ତ କାମ୍ବଲେ ଶିଶୁଟିକୁ ଖାଇବା ଜିନିଷ ଦେବାକୁ କହି ପ୍ରଲୋଭିତ କରି ଏକ ଗୁହାଳ ଭିତରକୁ ନେଇଯାଇଥିଲା। ସେଠାରେ ଶିଶୁଟି ସହିତ ଦୁଷ୍କର୍ମ କରିବା ପରେ ତାକୁ ହତ୍ୟା କରିଥିବା ପୁଣେ ଏସ୍‌ପି ସନ୍ଦୀପ ସିଂହ ଗିଲ୍‌ କହିଛନ୍ତି। ସ୍କୁଲ ଛୁଟିଥିବାରୁ ଶିଶୁଟି ନିଜ ଆଈ ପାଖକୁ ବୁଲିବାକୁ ଆସିଥିବାବେଳେ ଅପରାହ୍ଣରେ ନିଖୋଜ ହୋଇଯାଇଥିଲା। ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଅଭିଯୁକ୍ତ କାମ୍ବଲେ ଶିଶୁଟିକୁ ନେଇ ଯାଉଥିବା ଦେଖିବାକୁ ମିଳିଥିଲା। ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଶିଶୁକନ୍ୟାର ମୃତଦେହ ଗୁହାଳ ଭିତରୁ ପୁଲିସ ଠାବ କରିଥିଲା। ପୋକ୍‌ସୋ ଓ ବିଏନ୍‌ଏସ୍‌ ଧାରା ଅଭିଯୁକ୍ତ ବିରୋଧ ମାମଲା ରୁଜୁ କରାଯାଇଛି। ଉତ୍ତ୍ୟକ୍ତ ଲୋକମାନେ ପୁଲିସ ଷ୍ଟେସନ ବାହାରେ ରୁଣ୍ଡ ହୋଇ ଅଭିଯୁକ୍ତ ବିରୋଧ କଠୋର କାର୍ଯ୍ୟାନୁଷ୍ଠନ ଦାବି କରିଥିଲେ।

ବିଭିନ୍ନ ରାଜ‌ନୈତିକ ଦଳ ପକ୍ଷରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି, ଏପରି ଅପରାଧୀମାନେ ସମାଜରେ କିପରି ମୁକ୍ତ ଭାବରେ ବିଚରଣ କରନ୍ତି? ମହା ବିକାଶ ଆଘାଡ଼ି ସରକାରଙ୍କ କାର୍ଯ୍ୟକାଳରେ ସେ ଗୃହମନ୍ତ୍ରୀ ଥିବାବେଳେ ଶକ୍ତି ଆଇନକୁ ଅନୁମୋଦନ କରିଥିଲେ, ଯାହା କେନ୍ଦ୍ର ସରକାରଙ୍କଠାରୁ ଚୂଡ଼ାନ୍ତ ଅନୁମୋଦନ ଅପେକ୍ଷାରେ ରହିଛି। ଏହି ଆଇନ ଲାଗୁ ହେଲେ ଏପରି ନରପିଶାଚମାନେ ୧୫ ଦିନ ଭିତରେ ମୃତ୍ୟୁଦଣ୍ଡ ପାଇବେ ବୋଲି ସେ କହିଛନ୍ତି। ଏନ୍‌ସିପି (ଶରଦ ପାୱର) ସାଂସଦ ସୁପ୍ରିୟା ସୁଲେ ଘଟଣାକୁ ନିନ୍ଦା କରି ଏହାକୁ ଅତ୍ୟନ୍ତ କ୍ରୋଧଜନକ, ହୃଦୟ ବିଦାରକ ତଥା ମାନବିକତା ଉପରେ କଳା ଦାଗ ବୋଲି କହିଛନ୍ତି। ଅଭିଯୁକ୍ତକୁ ଏପରି ଅମାନବିକ କାର୍ଯ୍ୟ ପାଇଁ କଠୋରରୁ କଠୋରତମ ଦଣ୍ଡ ଦେବାକୁ ସେ ରାଜ୍ୟ ସରକାରଙ୍କୁ କହିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ, ସରକାର ଏହି ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍ କୋର୍ଟରେ କରିବେ ଏବଂ ଦୋଷୀକୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିବେ।

Leave a Reply

Your email address will not be published. Required fields are marked *