ନୂଆଦିଲ୍ଲୀ : ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପଓ୍ବନ୍ କଲ୍ୟାଣ ସ୍ୱାସ୍ଥ୍ୟାବସ୍ଥା ଖରାପ ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ହାଇଦ୍ରାବାଦର ଜୁବଲି ହିଲ୍ସ ସ୍ଥିତ ଏକ ଘରୋଇ ହସପିଟାଲରେ ତାଙ୍କର ସର୍ଜରୀ କରାଯାଇଛି । ଆଉ ଆଗାମୀ ୧୦ ଦିନ ଯାଏଁ ତାଙ୍କୁ ବିଶ୍ରାମ କରିବା ପାଇଁ କୁହାଯାଇଛି । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ମୁଁ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପଓ୍ବନ୍ କଲ୍ୟାଣଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିଥିଲି । ସେ ବହୁତ ସାହସୀ, ଏବଂ ଆଉ ମୁଁ ନିଶ୍ଚିତ ଯେ ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ । ତାଙ୍କ ଉତ୍ତମ ସ୍ୱାସ୍ଥ୍ୟାବସ୍ଥା ପାଇଁ ମୁଁ ପ୍ରାର୍ଥନା କରୁଛି ।
ମୋଦିଙ୍କ ଟ୍ବିଟର ଉତ୍ତର ଦେଇ ପୱନ କଲ୍ୟାଣ କହିଛନ୍ତି, ଧନ୍ୟବାଦ, ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ, ଆପଣଙ୍କ ସ୍ନେହପୂର୍ଣ୍ଣ ଶବ୍ଦ ପାଇଁ । ସର୍ଜରୀ ପରେ ମୋ ସହିତ କଥା ହେବା ଏବଂ ସ୍ବାସ୍ଥ୍ୟ ବିଷୟରେ ବୁଝିବା ପାଇଁ ସମୟ ବାହାର କରି ପାଇଁ । ଆପଣଙ୍କ ଚିନ୍ତା, ପ୍ରୋତ୍ସାହନ, ଶୀଘ୍ର ସୁସ୍ଥ ହେବା ଶୁଭକାମନା ମୋତେ ବହୁତ ଶକ୍ତି ଦେଇଛି । ଆପଣଙ୍କ ମାର୍ଗଦର୍ଶନ, ସମର୍ଥନ ଏବଂ ଶୀଘ୍ର ସୁସ୍ଥ ହେବାର ଶୁଭକାମନା ପାଇଁ ସବୁବେଳେ କ୍ତଜ୍ଞ ରହିବି ।
ସେହିପରି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ୍ସରେ ଲେଖିଛନ୍ଶ, ପଓ୍ବନ୍ କଲ୍ୟାଣଙ୍କ ଅସ୍ତ୍ରୋପଚାର ପରେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ମୋର ଶୁଭକାମନା । ସେ ଶୀଘ୍ର ସୁସ୍ଥ ହୋଇ ଫେରି ଆସନ୍ତୁ ।
ଶନିବାର ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ଗତ କିଛି ମାସ ଧରି ସେ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିଲେ । ତେଣୁ ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ପରାମର୍ଶରେ, ସେ ଶୁକ୍ରବାର ପାଇଁ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବାତିଲ କରି ହସ୍ପିଟାଲ ଯାଇଥିଲେ । ସେଠାରେ ତାଙ୍କର ଏମ୍ଆରଆଇ ଏବଂ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ କିଛି ପରୀକ୍ଷା କରାଯାଇଥିଲା । ବର୍ତ୍ତମାନ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।