Spread the love

ନୂଆଦିଲ୍ଲୀ: ଯୁଦ୍ଧବିରତି ପରେ ୧୭% କମିଲା ତେଲ ଦାମ!। ଆଜି ବିଶ୍ୱ ଶକ୍ତି ବଜାରରେ ଇତିହାସର ଏକ ବଡ଼ ଧରଣର ଦର ହ୍ରାସ ଦେଖିବାକୁ ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା କରିବା ପରେ, ବିଶ୍ୱ ଅର୍ଥନୀତି ଉପରେ ଘୋଟିଥିବା କଳାବାଦଲ କିଛି ମାତ୍ରାରେ ହଟିଯାଇଛି । ଯୁଦ୍ଧ ବିରତି ଖବର ଆସିବା ମାତ୍ରେ ଅନ୍ତର୍ଜାତୀୟ ବଜାରରେ ‘ବ୍ରେଣ୍ଟ କ୍ରୁଡ୍’ ଦର ୧୫% କମି ପ୍ରତି ବ୍ୟାରେଲ୍ ପିଛା ୯୩ ଡଲାରରେ ପହଞ୍ଚିଛି । ସେହିପରି ଆମେରିକୀୟ ତେଲ ଯାହା ମଙ୍ଗଳବାର ୧୧୭ ଡଲାର ଥିଲା, ତାହା ଏବେ କମି ୯୪ ଡଲାର ହୋଇଯାଇଛି । ତୈଳ ଦର କମିଲେ ଭାରତୀୟ ମୁଦ୍ରା ଉପରେ ଚାପ କମିବ । ଯୁଦ୍ଧବିରତି ପୂର୍ବରୁ ପ୍ରତି ବ୍ୟାରେଲ ପିଛା ତୈଳ ଦର ଥିଲା ପ୍ରାୟ ୯ ହଜାର ୭୬୦ ଟଙ୍କା । ଯୁଦ୍ଧବିରତି ପରେ ଏହା ପ୍ରାୟ ୭ ହଜାର୮୪୨ ଟଙ୍କା ହୋଇଛି ।

ବିଶ୍ୱ ବଜାରରେ ଏହି ଉନ୍ନତିର ମୁଖ୍ୟ କାରଣ ହେଉଛି ହରମୁଜ ପ୍ରଣାଳୀର ପୁନଃ ଉନ୍ମୁକ୍ତ ହେବା । ବିଶ୍ୱର ପ୍ରାୟ ୨୦% ତେଲ ପରିବହନ ଏହି ରାସ୍ତା ଦେଇ ହୋଇଥାଏ, ଯାହାକୁ ଇରାନ ସେନା ଫେବୃଆରୀ ମାସରୁ ବନ୍ଦ କରି ରଖିଥିଲା । ଚୁକ୍ତି ଅନୁସାରେ, ଇରାନ ଏହି ପଥକୁ ସୁରକ୍ଷିତ ଭାବେ ଖୋଲିବ ଏବଂ ବଦଳରେ ଆମେରିକା ଇରାନ ଉପରେ ଆକ୍ରମଣ କରିବ ନାହିଁ । କେବଳ ତେଲ ନୁହେଁ, ବରଂ ଆମେରିକାର ଶେୟାର ବଜାର ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଛି। ନିବେଶକମାନେ ଏବେ ସୁନା ପରି ସୁରକ୍ଷିତ ସମ୍ପତ୍ତି ବଦଳରେ ଶେୟାର ବଜାରରେ ଟଙ୍କା ଲଗାଇବା ଆରମ୍ଭ କରିଛନ୍ତି । ଯୁଦ୍ଧର ଯେଉଁ ଭୟଙ୍କର ସ୍ଥିତି ଉପୁଜିଥିଲା, ତାହା ଏବେ ଶାନ୍ତି ଆଲୋଚନା ଆଡ଼କୁ ଗତି କରୁଛି । ଯଦିଓ ବର୍ତ୍ତମାନ ପରିସ୍ଥିତି ଶାନ୍ତ ଜଣାପଡ଼ୁଛି, ତଥାପି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି । ୟୁଏଇ ଏବଂ ଇସ୍ରାଏଲରେ ଆଜି ସକାଳେ ମଧ୍ୟ ମିସାଇଲ୍ ଆଲର୍ଟ ଜାରି କରାଯାଇଛି । ଏହି ଯୁଦ୍ଧବିରତି ମାତ୍ର ୧୪ ଦିନ ପାଇଁ ହୋଇଥିବାରୁ, ଆଗକୁ ପାକିସ୍ତାନରେ ହେବାକୁ ଥିବା ଶାନ୍ତି ସମ୍ମିଳନୀ ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *