Spread the love

ମୁମ୍ବାଇ: ଆଇପିଏଲ୍‌ରେ ଖେଳୁଥିବା ବିଦେଶୀ ଖେଳାଳିମାନଙ୍କ ନିଷ୍ଠା ଉପରେ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତି ବ୍ୟାଟର୍‌ ତଥା ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର । ସେ କହିଛନ୍ତି ଯେ ବିିଦେଶୀ ଖେଳାଳିମାନେ କୋଟି କୋଟି ଟଙ୍କା ନେଉଛନ୍ତି, କିନ୍ତୁ ନିଜ ଦଳ ପାଇଁ ସେମାନଙ୍କର ନିଷ୍ଠାର ଅଭାବ ରହୁଛି।
ଏକ ସାପ୍ତାହିକ ସ୍ତମ୍ଭରେ ଗାଭାସ୍କର୍‌ ବିଦେଶୀ ଅଲ୍‌ରାଉଣ୍ଡରମାନେ ଉଭୟ ବୋଲିଂ ଓ ବ୍ୟାଟିଂ ନ କରି କେବଳ ବ୍ୟାଟିଂ କରିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ‘‘ଗୋଟିଏ ମ୍ୟାଚ୍‌ରେ ଜଣେ ସର୍ବାଧିକ ଚାରି ଓଭର ବୋଲିଂ କରିପାରିବ। ଏପରି କରିବାକୁ ସେମାନଙ୍କୁ କିଏ ଅଟକାଉଛି ?’’ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି କୌଣସି ଖେଳାଳି ଫିଟ୍‌ ନାହାନ୍ତି, ସେମାନେ ସଂପୂର୍ଣ୍ଣଭାବେ ପ୍ରତିଯୋଗିତାରୁ ଓହରିଯିବା ଉଚିତ୍‌। କାରଣ ଏହାଦ୍ବାରା ଫ୍ରାଞ୍ଚାଇଜି ଜଣେ ବିକଳ୍ପ ଖେଳାଳିଙ୍କୁ ନେଇପାରିବ। ‘ଫ୍ରାଞ୍ଚାଇଜିଙ୍କୁ ପୂର୍ବରୁ ସୂଚୀତ କରାଯାଇଥିବା’ ଯୁକ୍ତିକୁ ମଧ୍ୟ ଗାଭାସ୍କର ଗ୍ରହଣ କରିନାହାନ୍ତି। ସେ କହିଛନ୍ତି ଯେ ଏହା ଏକ ଉଚିତ କାରଣ ନୁହେଁ, ପ୍ରକୃତ କଥା ହେଉଛି କେଉଁ ସମୟରେ ଓ କେତେ ସ୍ପଷ୍ଟଭାବରେ ଜଣେ ଖେଳାଳିଙ୍କ ସମ୍ପର୍କରେ ଫ୍ରାଞ୍ଚିଇଜିଙ୍କୁ ସୂଚୀତ କରାଯାଇଛି।
ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲୀୟ ଖେଳାଳି କାମେରନ ଗ୍ରୀନଙ୍କୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ଆଇପିଏଲ୍‌ର ସବୁଠାରୁ ମହଙ୍ଗା ଖେଳାଳି ହୋଇଥିଲେ ବି ସେ ନିଜ ଦଳ କେକେଆର୍‌ ପାଇଁ କେବଳ ବ୍ୟାଟିଂ କରୁଛନ୍ତି, ବୋଲିଂ କରୁନାହାନ୍ତି। ଏ ନେଇ କେକେଆର୍‌ ଅଧିନାୟକ ଅଜିଙ୍କ୍ୟ ରାହାଣେ ‘କ୍ରିକେଟ୍‌ ଅଷ୍ଟ୍ରେଲିଆକୁ ପଚାର’ ବୋଲି କହିବା ପରେ ଅଷ୍ଟ୍ରେଲିଆ ବୋର୍ଡ ଏକ ବୟାନ ଜାରି କରି କହିଥିଲା ଯେ ଏ ସମ୍ପର୍କରେ ପୂର୍ବରୁ ସୂଚୀତ କରାଯାଇଥିଲା।

Leave a Reply

Your email address will not be published. Required fields are marked *