Spread the love

ଭୁଵନେଶ୍ୱର : ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଧାନମନ୍ତ୍ରୀ ଚିଠି ଲେଖି, ଓଡ଼ିଶା ସମୃଦ୍ଧିର ନୂଆ ମାଇଲଖୁଣ୍ଟ ହାସଲ କରି ଚାଲିବ ବୋଲି କହିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛ ନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ସମାର୍ଥ୍ୟ ଓ ଆକାଂକ୍ଷା ସହିତ ଓଡ଼ିଶା ସମୃଦ୍ଧିର ନୂଆ ମାଇଲଖୁଣ୍ଟ ହାସଲ କରି ଚାଲିବ । ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶାର ସହଭାଗୀ ସଂକଳ୍ପ ହାସଲ ଦିଗରେ ଆଗକୁ ବଢିବା ପାଇଁ ଭାରତ ସରକାର ସର୍ବଦା ଓଡ଼ିଶା ସହିତ କାନ୍ଧକୁ କାନ୍ଧ ମିଶାଇ ଛିଡ଼ା ହେବ । ଦଶନ୍ଧି ଧରି ଓଡ଼ିଶାର ପ୍ରଗତି ଓ ଓଡ଼ିଶା ବାସୀଙ୍କ ପାଇଁ କାମ କରିବାର ସୁଯୋଗ ପାଇଛି ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ।

କହିଛନ୍ତି ଚଳିତ ବର୍ଷ ଓଡ଼ିଶାକୁ ରେଳ ଆବଣ୍ଟନ ୧୦ ହଜାର ୬୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଏକ ଉନ୍ନତ ଜୀବନଯାପନ ଲାଗି ସକ୍ଷମ କରିବା ଦିଗରେ କାର୍ଯ୍ୟ ହେଉଛି । ବନ୍ଦର ଆଧାରିତ ବିକାଶ ମାଧ୍ୟମରେ ଓଡ଼ିଶାକୁ ଏକ ପ୍ରମୁଖ ସାମୁଦ୍ରିକ ଏବଂ ଶିଳ୍ପ ଭିତ୍ତିକ ରାଜ୍ୟ ଭାବରେ ବିକଶତି ହେବା ଲାଗି ସମର୍ଥନ କରୁଛି । ପାରାଦୀପ ଚାରିପାଖରେ ଶିଳ୍ପ ଅନୁକୂଳ ପରିବେଶର ବିକାଶ, ପାରାଦୀପ ଓ ଗୋପାଳପୁରରେ ପ୍ରସ୍ତାବିତ ଏଲଏନଜି ଟର୍ମିନାଲ ଏବଂ ବାହୁଦା ବନ୍ଦର ତଥା ମହାନଦୀରେ ନଦୀ ଆଧାରିତ ଜାହାଜ ନିର୍ମାଣ ଓ ବନ୍ଦର ଭଳି ପ୍ରକଳ୍ପର ବ୍ୟାପକ ସମ୍ଭାବନା ରହିଛି । ଭାରତର ସେମିକଣ୍ଡକ୍ଟର ଶିଳ୍ପ ଯାତ୍ରାରେ ଓଡ଼ିଶା ମଧ୍ଯ ଏକ ସମ୍ଭାବନାପୂର୍ଣ ଗନ୍ତବ୍ୟସ୍ଥଳ ଭାବରେ ଉଭା ହେଉଛି ।

ମହିଳା ସଶକ୍ତିକରଣର ଏକ ପ୍ରମୁଖ ଉପକରଣ ଭାବରେ ଉଭା ହୋଇଛି ସୁଭଦ୍ରା ଯୋଜନା ।  ଲକ୍ଷପତି ଦିଦି ସୃଷ୍ଟି କରିବାରେ ଏକ ଅଗ୍ରଣୀ ରାଜ୍ୟ ହୋଇଥିବାରୁ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ମୋଦି । ଓଡ଼ିଶାର ଶିଳ୍ପ ପ୍ରଗତି ମଧ୍ଯ ଅନୁରୂପ ଭାବରେ ଉତ୍ସାହଜନକ ।  ରେକର୍ଡ ପରିମାଣର ପୁଞ୍ଜିନିବେଶ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ବାମପନ୍ଥୀ ଉଗ୍ରବାଦୀଙ୍କ ହିଂସା ଓଡ଼ିଶାର ବିକାଶ ପଥକୁ ମନ୍ଥର କରିଥିଲା । ବାମପନ୍ଥୀ ଉଗ୍ରବାଦ ବିରୁଦ୍ଧରେ ଆମ ସରକାରଙ୍କ ସଫଳତା ପାଇଁ ମୁଁ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଦୁଇ ବର୍ଷ ଧରି ଆପଣ ଏବଂ ଓଡ଼ିଶା ସରକାର ଯେଉଁ ଅସାଧାରଣ କାର୍ଯ୍ୟ କରିଛନ୍ତି ତାହାକୁ ମୁଁ ଉଚ୍ଚ ପ୍ରଶଂସା କରୁଛି । ମୁଁ ନିଶ୍ଚିତ ଯେ ଲୋକଙ୍କ ସ୍ବପ୍ନ ପୂରଣ କରିବାରେ କୌଣସି ସୁଯୋଗ ଛଡ଼ାଯିବ ନାହିଁ । ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରିବା ଏବଂ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ତଥା ପ୍ରଚାର ପାଇଁ ଆପଣଙ୍କ ସରକାରଙ୍କ ପ୍ରୟାସକୁ ମୁଁ ବିଶେଷ ଭାବରେ ପ୍ରଶଂସା କରିବାକୁ ଚାହେଁ ବୋଲି ମୋଦି ଲେଖିଛନ୍ତି । ଆଗାମୀ ଏକ ଦଶନ୍ଧି ମଧ୍ୟରେ, ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟ ହେବାର ୧୦୦ ବର୍ଷ ପୂରଣ କରିବ । ଓଡ଼ିଶାର ପ୍ରଗତି ପାଇଁ ସାମୂହିକ ଭାବରେ ଆହୁରି କ’ଣ କରାଯାଇପାରିବ ସେ ବିଷୟରେ ବିଚାର କରନ୍ତୁ ବୋଲି ମୋଦି ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *