Spread the love

ବ୍ରହ୍ମପୁର: ପ୍ରେମନଗର ଅଞ୍ଚଳରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ ଧରଣର ଚୋରି ହୋଇଛି। ବ୍ୟବସାୟୀ ଜଣଙ୍କ ମର୍ଣ୍ଣି॰ୱାକରେ ଯାଇଥିବା ବେଳେ ଚୋରମାନେ ତାଙ୍କ ଘରେ ପଶି ପ୍ରାୟ ୧କେଜି ଓଜନର ସୁନା ଅଳଙ୍କାର ଏବଂ ନଗଦ ଲକ୍ଷାଧିକ ଟଙ୍କା ଚୋରି କରି ନେଇ ଯାଇଛନ୍ତି। ଖବରପାଇ ବଡବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ସୂଚନା ଅନୁସାରେ ପ୍ରେମନଗର ୭ମ ଲାଇନରେ ରାଜକମଲ ଏଜେନ୍ସିର ମାଲିକ ପି. ରାଜପ୍ରଭାକର ରାଓ ନିଜ ପରିବାର ସହ ରହୁଛନ୍ତି। କିଛିଦିନ ହେବ ପରିବାର ଲୋକେ ବାହାରକୁ ଚାଲି ଯାଇଥିବା ବେଳେ ପ୍ରଭାକର ଏକୁଟିଆ ରହୁଥିଲେ। ସବୁଦିନ ଭୋରରୁ ସେ ମର୍ଣ୍ଣିଂୱାକ୍ କରିବାକୁ ଯାଉଥିଲେ। ଆଜି ମଧ୍ୟ ଭୋରରୁ ଉଠି ଘରେ ତାଲା ପକାଇ ମର୍ଣ୍ଣି॰ୱାକ କରିବାକୁ ଯାଇଥିଲେ। ଫେରିବା ପରେ ଚାବି ଦ୍ବାରା ତାଲା ଖୋଲିବାକୁ ଚେଷ୍ଟା କରିଥିଲେ। ହେଲେ ତାଲା ଖୋଲିନଥିଲା।

ଯାଞ୍ଚ ପରେ ତାଙ୍କ ଘରର ମୁଖ୍ୟ ଫାଟକରେ ଅନ୍ୟ ଏକ ତାଲା ପଡିଥିବା ସେ ଦେଖିଥିଲେ। ପ୍ରଭାକର ସେହି ତାଲାକୁ ଭାଙ୍ଗି ଘର ଭିତରକୁ ପଶିଥିଲେ। ସେତେବେଳେ ଘର ଭିତରେ ଥିବା ୨ଟି ଆଲମୀରା ଭଙ୍ଗା ଯାଇଥିବା ବେଳେ ଆସଭାବପତ୍ର ଏଣେତେଣ ପଡିଥିବା ସେ ଦେଖିବାକୁ ପାଇଥିଲେ। ଆଲମୀରା ଭିତରେ ଥିବା ପ୍ରାୟ ୧ କେଜି ଓଜନର ସୁନା ଅଳଙ୍କାର ଏବଂ ନଗଦ ୧ଲକ୍ଷ ୩୦ହଜାର ଟଙ୍କା ଚୋରି ହୋଇ ଯାଇଥିବା ସେ ଜାଣିବାକୁ ପାଇଲେ। ପ୍ରଭାକର ପୁଲିସକୁ ଫୋନ କରି ଜଣାଇବା ପରେ ବଡବଜାର ପୁଲିସ ତାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଚୋରି ହୋଇଥିବା ସୁନାର ମୂଲ୍ୟ ୧କୋଟିରୁ ଅଧିକ ଟଙ୍କା ହେବ ବୋଲି ପ୍ରଭାକର କହିଛନ୍ତି।

Leave a Reply

Your email address will not be published. Required fields are marked *