ଭୁବନେଶ୍ୱର : ସାମାଜିକ ଦାୟିତ୍ୱବୋଧର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିଶୁ ଦିବସ ଅବସରରେ ନେତାଜୀ ସ୍କୁଲ ଆଣ୍ଡ କଲେଜ ଅଫ ନର୍ସିଂ ପକ୍ଷରୁ ଏକ ହୃଦୟସ୍ପର୍ଶୀ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପ୍ରତି ସମାଜରେ ସମ୍ବେଦନଶୀଳତା ଏବଂ ସମାନତା ଭାବ ବୃଦ୍ଧି କରିବା ଲକ୍ଷ୍ୟରେ ଅନୁଷ୍ଠାନର ଏହି ପ୍ରୟାସ ବାସ୍ତବରେ ପ୍ରଶଂସନୀୟ । ଏହି ବିଶେଷ ଦିନରେ ସମଗ୍ର କ୍ୟାମ୍ପସରେ ଉତ୍ସାହ ଓ ଆନନ୍ଦର ବାତାବରଣ ପରିଲକ୍ଷିତ ହୋଇଥିଲା, ଯାହା ଶିଶୁମାନଙ୍କର ନିଷ୍ଠାପ ପ୍ରେମ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ଜୀବନ ପ୍ରତି ଥିବା ଦୃଢ଼ ଇଚ୍ଛାଶକ୍ତିର ଏକ ପ୍ରତିଫଳନ ଥିଲା।


ନେତାଜୀ ସ୍କୁଲ ଆଣ୍ଡ କଲେଜ ଅଫ ନର୍ସିଂର ସୁସଜ୍ଜିତ ପ୍ରାଙ୍ଗଣରେ ଏହି ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୬୪ ଜଣ ଭିନ୍ନକ୍ଷମ ଅତିଥିଙ୍କ ଉପସ୍ଥିତି ସମଗ୍ର ପରିବେଶକୁ ଅଧିକ ପ୍ରାଣବନ୍ତ କରିଥିଲା । ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ପାଛୋଟି ନେବାରେ ଲାଗିପଡ଼ିଥିଲେ । ପ୍ରତ୍ୟେକ ଅତିଥିଙ୍କ ମୁହଁରେ ଏକ ସ୍ୱତନ୍ତ୍ର ଆତ୍ମସନ୍ତୋଷର ଝଲକ ଦେଖିବାକୁ ମିଳିଥିଲା, ଯାହାକି ସେମାନଙ୍କ ପ୍ରତି ଥିବା ସମାଜର ସ୍ନେହ ଓ ସମ୍ମାନକୁ ପ୍ରତିଫଳିତ କରୁଥିଲା । ଛାତ୍ରଛାତ୍ରୀମାନେ ନିଜ ହାତରେ ଅତିଥିମାନଙ୍କୁ ସାହାଯ୍ୟ କରି ଆସନରେ ବସାଇବା ବେଳେ ଏକ ଭାବପୂର୍ଣ୍ଣ ଦୃଶ୍ୟ ସୃଷ୍ଟି ହୋଇଥିଲା । ଏହି ଅବସରରେ ଭିନ୍ନକ୍ଷମ ଅତିଥିମାନେ ପିଲାମାନଙ୍କ ସହ ହୃଦୟ ଖୋଲି ଭାବ ବିନିମୟ କରିଥିଲେ । ସେମାନେ ନିଜ ଜୀବନର ଅନୁଭୂତି, ସଂଘର୍ଷ ଏବଂ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ, ଯାହା ଶିଶୁମାନଙ୍କୁ ଗଭୀର ଭାବରେ ପ୍ରେରିତ କରିଥିଲା ।
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଭିନ୍ନକ୍ଷମ ଅତିଥିମାନଙ୍କ ଦ୍ୱାରା ପରିବେଷିତ ବିଭିନ୍ନ ପ୍ରକାର ସଂଗୀତ, ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବିଶେଷ କରି ସଂଗୀତ ପରିବେଷଣ ସମୟରେ ଅତିଥିମାନଙ୍କ ଆଖିରେ ଆନନ୍ଦର ଲୁହ ଝଲସି ଉଠିଥିଲା।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀ ବିଜନ କୁମାର ଜେନା ଏବଂ ସିଇଓ ଶ୍ରୀମତୀ ରଶ୍ମିତା ଜେନା ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିଲେ । ସେମାନେ ସମାଜର ଏହି ବିଶେଷ ବର୍ଗର ଲୋକଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସମସ୍ତ ଅତିଥଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା ସେମାନେ ବହୁତ ଖୁସି ଅନୁଭବ କରିଥିଲେ ଓ ଆଶୀର୍ବାଦ ପ୍ରଦାନ କରିଥିଲେ |
ଅନୁଷ୍ଠାନର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି ପୁଣ୍ୟ କାର୍ଯ୍ୟରେ ସାମିଲ ହୋଇ ଏହାର ସଫଳତାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଶେଷରେ, ଅତିଥିମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଭୋଜନର ବ୍ୟବସ୍ଥା କରାଯାଇଥିଲା । ଭୋଜନ ସମୟରେ ମଧ୍ୟ ପିଲାମାନେ ଅତିଥିମାନଙ୍କ ସହ ଗପସପ କରିଥିଲେ, ଯାହା ଏକ ଅନ୍ତରଙ୍ଗ ବାତାବରଣ ସୃଷ୍ଟି କରିଥିଲା । ଭବିଷ୍ୟତରେ ଏଭଳି କାର୍ଯ୍ୟକ୍ରମ ଅଧିକରୁ ଅଧିକ ଆୟୋଜିତ ହେଉ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ।