Spread the love

ଉତ୍ତର ପ୍ରଦେଶ: ଯୌତୁକ ପାଇଁ ସ୍ତ୍ରୀକୁ ନିର୍ଯାତନା ଦେଲା ସ୍ବାମୀ । ସାତ ଜନ୍ମ ପାଇଁ ହାତ ଧରିଥିଲା କିନ୍ତୁ ଗୋଟିଏ ଜନ୍ମ ପାଇଁ ବି ସାଥ୍ ଦେଲାନି । ଓଲଟା ହତ୍ୟା କରି ଦୁର୍ଘଟଣାର ରୂପ ଦେଲା ସ୍ବାମୀ । ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଏମିତି ଏକ ଚାଞ୍ଚଲ୍ୟ ଖବର ଆସିଛି । ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ନିର୍ମମ ଭାବରେ ହତ୍ୟା କରିଛି । ସ୍ତ୍ରୀର ଆଖିକୁ ଗୁରୁତର ଭାବେ ଆଘାତ ଦେବା ପରେ ମୁହଁକୁ ଚିପି କ୍ଷତାକ୍ତ କରିଥିଲା ନରହନ୍ତା ସ୍ବାମୀ ।

ସକାଳେ ସ୍ତ୍ରୀର ମୃତଦେହ ମିଳିବା ପରେ ଗାଁରେ ଖେଳିଯାଇଥିଲା ଚାଞ୍ଚଲ୍ୟ । ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ପରେ ଆରମ୍ଭ କରିଛି କାର୍ଯ୍ୟାନୁଷ୍ଠାନ । ଅତିରିକ୍ତ ପୋଲିସ ଅଧୀକ୍ଷକ ରାଧେଶ୍ୟାମ ରାୟ କହିଛନ୍ତି ଯେ ମୃତକଙ୍କ ପରିବାର ଦେଇଥିବା ଅଭିଯୋଗ ଆଧାରରେ ବିଭିନ୍ନ ମାମଲା ରୁଜୁ କରାଯାଇଛି ଏବଂ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରାଯାଇଛି । ଘଟଣାଟି ନବାବଗଞ୍ଜ ଥାନା ଅଞ୍ଚଳ ଅନ୍ତର୍ଗତ ତୁଳସୀପୁର ମାଝା ଗାଁରେ ଘଟିଛି ।

ଗୋଣ୍ଡାର ନବାବଗଞ୍ଜ ଥାନା ଅଞ୍ଚଳ ଅନ୍ତର୍ଗତ ତୁଳସୀପୁର ମାଝାର ବାସିନ୍ଦା ମୁକେଶ ଯାଦବ ୨୦୨୩ ମସିହାରେ ସେହି ଗାଁର ୨୩ ବର୍ଷୀୟା ସୁଷମାଙ୍କୁ ବିବାହ କରିଥିଲେ। ଅଭିଯୋଗ ଅନୁଯାୟୀ ସୁଷମାଙ୍କ ଶାଶୁଘର ଲୋକେ ବିବାହ ପର ଠାରୁ ଯୌତୁକ ପାଇଁ ତାଙ୍କୁ ହଇରାଣ କରିଆସୁଥିଲେ । ଅତିରିକ୍ତ ପୋଲିସ ଅଧୀକ୍ଷକଙ୍କ କହିବା ଅନୁଯାୟୀ, ଯୌତୁକ ଦାବିରେ ମୁକେଶ ଯାଦବ ନିଜ ସ୍ତ୍ରୀକୁ ନିର୍ଯାତନା ଦେଉଥିଲା । ବାପ ଘରୁ ଟଙ୍କା ଆଣିବାକୁ କହୁଥିଲା ମୁକେଶ । ଏନେଇ ବାରମ୍ବାର ଘରେ ବଚସା ଲାଗି ରହୁଥିଲା । କିନ୍ତୁ ୨୯ ତାରିଖ ରାତିରେ ସବୁ କିଛି ଶେଷ କରିବାକୁ ପ୍ଳାନ୍ କରିଥିଲା ମୁକେଶ । ନିଜ ସ୍ତ୍ରୀକୁ ଆଖୁ କ୍ଷେତକୁ ନେଇ ଗଳାକାଟି ହତ୍ୟା କରିଥିଲା । ପରେ ସୁଶମାର ଆଖି ଏବଂ ମୁହଁକୁ ରଡ୍ ରେ ଆକ୍ରମଣ କରିଥିଲା । ପରେ ଦୁର୍ଘଟଣାର ମିଛ ଖବର ଦେଇ ପୋଲିସକୁ ଭୁଆଁ ବୁଲେଇବାକୁ ଚେଷ୍ଟା କରିଥିଲା ମୁକେଶ ।

ଏଏସ୍ ପି ​​କହିଛନ୍ତି ଯେ ଘଟଣାସ୍ଥଳରେ ପୋଲିସର ଏକ ଟିମ୍ ପହଞ୍ଚିବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ମିଳିଥିବା ପ୍ରମାଣକୁ ଆଧାର କରି ମୁକେଶ ଯାଦବକୁ ଗିରଫ କରିଛି ପୋଲିସ । ମୃତକଙ୍କ ଭାଇ ବୀର ପ୍ରତାପ ଅଭିଯୁକ୍ତ ସ୍ୱାମୀ ମୁକେଶ ଏବଂ ଅନ୍ୟ ତିନି ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି । ଏହି ହତ୍ୟା କାଣ୍ଡରେ ସୁଶମାଙ୍କ ଶାଶୁ, ନଣନ୍ଦ ଏବଂ ମାମୁଁ ମଧ୍ୟ ସାମିଲ ଥିବା ନେଇ ମାମଲା ରୁଜୁ ହୋଇଛି । ପ୍ରମାଣ ସଂଗ୍ରହ କରାଯିବା ପରେ ଅନ୍ୟ ତିନି ଜଣଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଏସ୍ ପି ​​କହିଛନ୍ତି ।

Leave a Reply

Your email address will not be published. Required fields are marked *