Spread the love

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁମାନଙ୍କୁ ଟଙ୍କ ତୋରାଣି ବିତରଣ କରୁଛନ୍ତି। ବଡ଼ଦାଣ୍ଡ ପାର୍ଶ୍ବରେ ଖୋଲାଯାଇଥିବା ଏକ ଷ୍ଟଲରେ ମୁଖ୍ୟମନ୍ତ୍ରୀ ଟଙ୍କା ତୋରାଣି ବାଣ୍ଟୁଥିବା ବେଳେ ଶ୍ରଦ୍ଧାଳୁମାନେ ହର୍ଷୋଲ୍ଲାସର ସହିତ ଏହାକୁ ଗ୍ରହଣ କରିବା ସହିତ ଶ୍ରଦ୍ଧାର ଶୋଷ ମେଣ୍ଟାଉଛନ୍ତି। ବଡ଼ଦାଣ୍ଡରେ ମୁଖ୍ୟମନ୍ତ୍ରୀ ଟଙ୍କା ତୋରାଣି ବାଣ୍ଟିବା ନିଆରା ଭଳି ଲାଗୁଛି। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିବା ଟଙ୍କା ତୋରାଣି ପିଇ ଶ୍ରଦ୍ଧାଳୁମାନେ ନିଜକୁ ଧନ୍ୟ ମନେ କରୁଛନ୍ତି।
ସୂଚନାଯୋଗ୍ୟ, ଟଙ୍କ ତୋରାଣିକୁ ଅବଢ଼ା ତୋରାଣି ମଧ୍ୟ କୁହାଯାଇଥାଏ। ଏହା ଶ୍ରୀମନ୍ଦିରର ଆନନ୍ଦ ବଜାରରେ ମିଳୁଥିବା ଏକ ପାନୀୟ। ଏହି ତୋରାଣି ରନ୍ଧା ଅବଢ଼ା ଅନ୍ନରେ ଦହି, କଞ୍ଚା ଲଙ୍କା, ଲେମ୍ବୁ, ଅଦା, ଭୃଷୁଙ୍ଗ ପତ୍ର ଓ ଜିରା ଗୁଣ୍ଡ ଆଦି ମିଶାଇ ପ୍ରସ୍ତୁତ କରାଯାଏ। ରଥଯାତ୍ରା ସମୟରେ ବଡ଼ଦେଉଳରୁ ମାଉସୀ ମା’ ମନ୍ଦିର ଯାଏ ରଥ ଟାଣି ନେଲାବେଳେ ଲୋକମାନଙ୍କୁ ସେବନ ପାଇଁ ଏହି ଟଙ୍କ ତୋରାଣୀ ପରସାଯାଇଥାଏ। ୨୦୧୩ ମସିହାରେ ଓଡ଼ିଶା ପୁଲିସ ହାବିଲଦାର ପକ୍ଷରୁ ମନ୍ଦିର ଆଗରେ ଏକ “ଅବଢ଼ା ତୋରାଣି ବଣ୍ଟନ କେନ୍ଦ୍ର” ଖୋଲି ଟଙ୍କ ତୋରାଣୀ ବିତରଣ କରାଯାଉଛି। ୨୦୧୫ ମସିହାରେ ଅପରିଷ୍କାର ପରିବେଶରେ ତିଆରି କରାଯାଉଥିବାର ଅଭିଯୋଗକୁ ବିଚାର କରି ଓଡ଼ିଶା ଉଚ୍ଚନ୍ୟାୟାଳୟର ରାୟ ପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଟଙ୍କ ତୋରାଣି ବିକ୍ରି ବନ୍ଦ କରାଯାଇଥିଲା। ୧୫୧୨ ମସିହାରେ କବୀରଙ୍କ ପୁରୀ ଆଗମନ ସମୟରେ ଭକ୍ତମାନଙ୍କୁ ଟଙ୍କ ତୋରାଣି ପରସାଯିବା କବୀର ଚଉରା ମଠରେ ଲିପିବଦ୍ଧ ହୋଇଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନ ସାରା ପୁରୀରେ ରହିଛନ୍ତି। ରଥଯାତ୍ରା ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାର ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଉଛି। ମହାପ୍ରଭୁ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣନ୍ତୁ ଏହା ହିଁ ମୋର କାମନା ‌ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *