Spread the love

ନୂଆପଡ଼ା: ପୁଣି ଥରେ ଖଟିଆରେ ରୋଗୀ ବୁହାଯିବା ଘଟଣା ସାମ୍ନାକୁ ଆସିଛି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ପଞ୍ଚାୟତ ଜାମପାଣି ଗ୍ରାମ ମହୁଲପଡ଼ାରେ ଏହି ଘଟଣା ଦେଖିବାକୁ ମିଳିଛି। ଗାଁର ଗଦାଧର ନାଏକଙ୍କ ଗୋଡ଼ ଭାଙ୍ଗି ଯିବାରୁ ଚିକିତ୍ସା ପାଇଁ ପରିବାର ଲୋକେ ହସପିଟାଲ ନେବାକୁ ଚାରି ଚକିଆ ଗାଡ଼ି ଡାକିଥିଲେ। କିନ୍ତୁ ରାସ୍ତା ସମସ୍ୟା ଯୋଗୁ ଗାଡ଼ି ଯାଇ ନପାରିବାରୁ ପରିବାର ଲୋକେ ୧କିଲୋମିଟର ଯାଏଁ ରୋଗୀକୁ ଖଟିଆରେ ବୋହିଥିଲେ।
ଗଦାଧର ସ୍ଥାନୀୟ ପୋଖରୀକୁ ଗାଧୋଇବା ପାଇଁ ଯାଉଥିବା ସମୟରେ ହଠାତ କାଦୁଅ ପଚପଚ ରାସ୍ତା ଯୋଗୁଁ ତଳେ ଖସି ପଡ଼ିଥିଲେ। ଫଳରେ ତାଙ୍କ ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଉଠି ପାରିନଥିଲେ। ପରିବାର ଲୋକେ ଖବର ପାଇଁ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହସପିଟାଲ ନେବାକୁ ଏକ ବୋଲେରୋ ଡାକିଥିଲେ। ହେଲେ ଦୁର୍ଭାଗ୍ଯର କଥା ରାସ୍ତା ନଥିବା ଯୋଗୁ ଗାଡ଼ି ପହଞ୍ଚି ପାରିନଥିଲା। ପରିବାର ଲୋକେ ବାଧ୍ଯ ହୋଇ ପଡ଼ାବାସୀଙ୍କ ସହାୟତାରେ ଏକ ଖଟରେ ୪ରୁ୬ ଜଣ ବ୍ୟକ୍ତି ଗଦାଧରଙ୍କୁ ବୋହି ଏକ କିଲୋମିଟର ଦୂର ଗାଡ଼ି ପାଖକୁ ପହଞ୍ଚାଇଥିଲେ। ସେଠୁ ଚିକିତ୍ସା ପାଇଁ ତାଙ୍କୁ ହସପିଟାଲ ନେଇଥିଲେ।
ଏହି ପଡ଼ାକୁ ଯାତାୟାତ କରିବାକୁ ଏକ ପୋଖରୀ ହୁଡ଼ା ଦେଇ ଲୋକେ ଯିବା ଆସିବା କରୁଥିବା ବେଳେ ପକ୍କା ରାସ୍ତା ଟିଏ ନାହିଁ। କାଦୁଅ ପଚପଚ ଜମି ହିଡ଼ରେ ପୋଖରୀ ହୁଡ଼ାରେ ଜମି ନାଲାରେ ଆଣ୍ଠୁଏ କାଦୁଅରେ ଯାତାୟାତ କରିବାକୁ ପଡାବାସୀ ବାଧ୍ୟ ହେଉଛନ୍ତି।
ଛୋଟରୁ ବଡ଼ ସମସ୍ତ କାମ, ସ୍କୁଲ ପାଠପଢା, ପଞ୍ଚାୟତ ଯିବାଆସିବାକୁ ଏହି ଗୋଟିଏ ରାସ୍ତା ଉପରେ ଲୋକେ ନିର୍ଭର କରୁଥିବା ବେଳେ ଦୀର୍ଘଦିନ ହେଲା ପକ୍କା ରାସ୍ତା ପାଇଁ ପଡାବାସୀ ଦାବୀ କରି ଆସୁଛନ୍ତି। ହେଲେ ଅନେକ ସମୟରେ ସ୍ଥାନୀୟ ବିଡିଓ ସହ ଅନେକ ଅଧିକାରୀ କର୍ମଚାରୀ ତଦନ୍ତରେ ଯାଇ କୌଣସି ନାଁ କୌଣସି କାରଣ ଯୋଗୁଁ ଆଜିଯାଏ ପକ୍କା ରାସ୍ତାଟିଏ ପ୍ରଶାସନ ନିର୍ମାଣ କରିବାରେ ବିଫଳ ହୋଇଥିବା ପଡାବାସୀ ଅସନ୍ତୁଷ୍ଟ ପ୍ରକାଶ କରୁଛନ୍ତି। ଏନେଇ ଜିଲ୍ଲାପାଳ ତୁରନ୍ତ ଦୁଷ୍ଟିଦେଇ ପକ୍କା ରାସ୍ତା ପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ କରୁଛନ୍ତି।

Leave a Reply

Your email address will not be published. Required fields are marked *