Spread the love

ବଲାଙ୍ଗୀର: ଖବର ସଂଗ୍ରହ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଅମାନବୀୟ ନିର୍ଯାତନାର ଶିକାର ହେବାର ଘଟଣା ବଲାଙ୍ଗୀର ଜିଲ୍ଲା ସମେତ ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ଏକ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ସାମ୍ବାଦିକ ବିଜୟ କୁମାର ପ୍ରଧାନଙ୍କୁ ଠିକାଦାର ଓ କିଛି ଅସାମାଜିକ ବ୍ୟକ୍ତି ମିଳିତ ଭାବେ ଆକ୍ରମଣ କରିଥିଲେ। ଏହି ଘଟଣାରେ ବଲାଙ୍ଗୀର ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଠିକାଦାର ଏବେ ମଧ୍ୟ ଫେରାର।

ଅଭିଯୋଗ ଅନୁସାରେ, କୁଲଥିପାଲି ଗ୍ରାମରେ ୧୦ ଲକ୍ଷ ଟଙ୍କାର ଏକ ଗାର୍ଡୱାଲ୍ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ଉଠିଥିଲା। ଏହି ପ୍ରକଳ୍ପରେ କୌଣସି ସୂଚନା ଫଳକ ନଥିବା ନେଇ ସାମ୍ବାଦିକ ବିଜୟ ପ୍ରଧାନ ଖବର ସଂଗ୍ରହ କରିବାକୁ ଗ୍ରାମକୁ ଯାଇଥିଲେ। ସେଠାରେ ଭିଡିଓ ରେକର୍ଡିଂ କରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନେ ତାଙ୍କ ହାତଗୋଡ଼ ବାନ୍ଧି ଗ୍ରାମ ମଧ୍ୟରେ ଘୋଷାଡ଼ି ନେଇଥିଲେ ଏବଂ ଦୁଇ ଘଣ୍ଟା ଧରି ନିସ୍ତୁକ ମାଡ଼ ମାରି ଅପମାନିତ କରିଥିଲେ। ଏହାସହ, ତାଙ୍କ କ୍ୟାମେରା, ଦୁଇଟି ମୋବାଇଲ ଓ ଟଙ୍କା ଲୁଟି ନେଇଥିଲେ।

ନିର୍ଯାତନା ପରେ ଅଭିଯୁକ୍ତମାନେ ବିଜୟଙ୍କୁ ଏକ ମନ୍ଦିରକୁ ନେଇ ଏହି ଘଟଣା କିମ୍ବା ନିର୍ମାଣ କାର୍ଯ୍ୟ ସମ୍ପର୍କରେ କୌଣସି ଖବର ପ୍ରସାରଣ ନ କରିବାକୁ ଶପଥ କରାଇଥିଲେ। ଏହାସହ, ତାଙ୍କୁ ଓ ତାଙ୍କ ପରିବାରକୁ ହତ୍ୟା କରିବାର ଧମକ ଦେଇଥିଲେ। ପରେ ପୀଡ଼ିତ ସାମ୍ବାଦିକ ପୁଇଁତଳା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।

ବଲାଙ୍ଗୀର ପୋଲିସ ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ଭୋର୍ ସମୟରେ ଦୁଇ ଅଭିଯୁକ୍ତ ଅବିନାଶ ଦଳାଇ ଓ ଆଦିତ୍ୟ ଜେନାଙ୍କୁ ଗିରଫ କରାଯାଇଛି। ତେବେ, ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳାଇ ଏବେ ମଧ୍ୟ ଫେରାର। ପୋଲିସ ଦୁଇଟି ସ୍ୱତନ୍ତ୍ର ଟିମ ଗଠନ କରି ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି। ୨୪ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ପ୍ରତିଶ୍ରୁତି ଦେଇଛି।

Leave a Reply

Your email address will not be published. Required fields are marked *