Spread the love

ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ମିଳିଛି। ରାଜ୍ୟରେ ହୋଇଥିବା ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତିକୁ ରଦ୍ଦ କରିବା ଲାଗି କଲକାତା ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି। ହାଇକୋର୍ଟଙ୍କ ରାୟ ବିରୋଧରେ ମମତା ବାନାର୍ଜୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା କଳୁଷିତ ଉପାୟରେ ହୋଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ବିଚାରପତି ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ସମ୍ପୂର୍ଣ୍ଣ ଚୟନ ପ୍ରକ୍ରିୟା କଳୁଷିତ ଏବଂ ଦୂଷିତ। ନିଯୁକ୍ତିରେ ହୋଇଥିବା କାରସାଦିକୁ ଘୋଡ଼ାଇବା ପାଇଁ ଉଦ୍ୟମ କରାଯାଇଥିଲା। ଏ ସମ୍ପର୍କିତ ସମସ୍ତ ତଥ୍ୟ ବିଷୟରେ ଖଣ୍ଡପୀଠ ଅବଗତ ହୋଇଛନ୍ତି। ଅସଦ୍‌ ଉପାୟରେ ଯେଉଁ ପ୍ରାର୍ଥୀ ନିଯୁକ୍ତି ପାଇଛନ୍ତି ସେମାନେ ବହିଷ୍କାର ହେବା ନିତାନ୍ତ ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି। ତେବେ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନେ ନିଯୁକ୍ତ ହୋଇଛନ୍ତି ସେମାନେ ଦରମା ଫେରସ୍ତ କରିବା ଦରକାର ନାହିଁ।

Leave a Reply

Your email address will not be published. Required fields are marked *