Spread the love

କୁମ୍ଭମେଳା ସମୟରେ ଭାଇରାଲ ହୋଇଥିବା ମୋନାଲିସାଙ୍କୁ ତାଙ୍କ ଫିଲ୍ମରେ ଅଭିନୟ ପାଇଁ ଅଫର ଦେଇଥିବା ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ଏକ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିବା ପରେ ଏହି ଗିରଫଦାରୀ ହୋଇଛି। ଘଟଣାର ଯାଞ୍ଚ ପରେ ୪୫ ବର୍ଷୀୟ ସନୋଜ ମିଶ୍ରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି।

ଗାଜିଆବାଦରେ ପୁଲିସ ସନୋଜଙ୍କୁ ଗିରଫ କରିଛି ଏବଂ ପରେ ନବୀ କରିମ ପୁଲିସ ଷ୍ଟେସନ ହେପାଜତକୁ ନେଇଥିଲା। ଏକ ଛୋଟ ସହରର ଜଣେ ୨୮ ବର୍ଷୀୟା ଯୁବତୀଙ୍କୁ ନେଇ ଏହି ମାମଲା ରୁଜୁ ହୋଇଛି, ଯିଏ ଅଭିଯୋଗ କରିଛନ୍ତି ଯେ ମିଶ୍ର ତାଙ୍କୁ ୪ ବର୍ଷ ଧରି ବାରମ୍ବାର ଦୁଷ୍କର୍ମ କରିଥିଲେ। ଫିଲ୍ମ ଅଭିନେତ୍ରୀ ହେବାର ଇଚ୍ଛା ରଖିଥିବା ଏହି ମହିଳା ଜଣକ ଦାବି କରିଛନ୍ତି ଯେ ସେ ମୁମ୍ବାଇରେ ସନୋଜଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ଥିଲେ। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ସନୋଜ ତାଙ୍କୁ ତିନି ଥର ଗର୍ଭପାତ କରାଇବାକୁ ବାଧ୍ୟ କରିଥିଲେ।

ଅଭିଯୋଗକାରୀଙ୍କ ବୟାନରେ ଶ୍ରୀ ମିଶ୍ର ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପଛଘୁଞ୍ଚା ଦେଇଥିବା ଅଭିଯୋଗ କରିଛନ୍ତି।

ଦିଲ୍ଲୀ ପୋଲିସର ବୟାନ ଅନୁଯାୟୀ, ୨୦୨୪ ମାର୍ଚ୍ଚ ୬ରେ ଦୁଷ୍କର୍ମ, ଆକ୍ରମଣ, ଗର୍ଭପାତ ଏବଂ ଧମକ ଦେବା ସମେତ ଅନେକ ଧାରାରେ ଏଫଆଇଆର ରୁଜୁ କରାଯାଇଥିଲା। ଘଟଣା ସମ୍ପର୍କରେ ମୁଜାଫରନଗରରୁ ଗର୍ଭପାତ ସମ୍ପର୍କିତ ଡାକ୍ତରୀ ପ୍ରମାଣ ସଂଗ୍ରହ କରିବାରେ ପୁଲିସ ସକ୍ଷମ ହୋଇଥିବା ଜଣାପଡିଛି।

୨୦୨୫ ଫେବ୍ରୁଆରି ୧୮ ତାରିଖରେ ଅଭିଯୁକ୍ତ ପୀଡ଼ିତାଙ୍କୁ ନବୀ କରିମର ହୋଟେଲ ଶିବାକୁ ଆଣିଥିଲେ ଓ ସେଠାରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଶ୍ରୀ ମିଶ୍ର ତାଙ୍କୁ ଛାଡ଼ି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ପୂର୍ବରୁ ମାମଲାର ଶୁଣାଣି କରିଥିବା ଦିଲ୍ଲୀ ହାଇକୋର୍ଟ ଶ୍ରୀ ମିଶ୍ରଙ୍କ ଜାମିନ ଆବେଦନ ଖାରଜ କରିବା ପରେ ଏହି ଗିରଫଦାରୀ ହୋଇଛି।

Leave a Reply

Your email address will not be published. Required fields are marked *