Spread the love

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଏକ୍ସାଇଜ୍ ପଲିସି ମାମଲା ସହ ଜଡିତ ଦୁର୍ନୀତି ଏବଂ ମନି ଲଣ୍ଡରିଂ ମାମଲାରେ ଜାମିନ ସର୍ତ୍ତ ବଦଳାଇବାକୁ ମନୀଷ ସିସୋଦିଆ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଛନ୍ତି।

ଜାମିନ ସର୍ତ୍ତ ଅନୁଯାୟୀ ତାଙ୍କୁ ସପ୍ତାହରେ ଦୁଇଥର ଯାଞ୍ଚ ଏଜେନ୍ସି କାର୍ଯ୍ୟାଳୟରେ ହାଜର ହେବାକୁ ପଡୁଥିଲା। ସିସୋଦିଆଙ୍କ ଅନୁରୋଧ କ୍ରମେ ଆଜି କୋର୍ଟ ଏହି ସର୍ତ୍ତ ହଟାଇ ଦେଇଛନ୍ତି। ତେବେ ସିସୋଦିଆଙ୍କୁ ନିୟମିତ ଶୁଣାଣିରେ ଯୋଗଦେବାକୁ କୋର୍ଟ କହିଛନ୍ତି।

ମନୀଷ ସିସୋଦିଆ ଟ୍ୱିଟ୍‌ କରି କୋର୍ଟଙ୍କୁ କୃତଜ୍ଞତା ଜଣାଇଛନ୍ତି। ସିସୋଦିଆ ଟ୍ୱିଟରେ ଲେଖିଛନ୍ତି – ଜାମିନ ସର୍ତ୍ତ ହଟାଇ ଆଶ୍ୱସ୍ତି ପ୍ରଦାନ କରିଥିବାରୁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ହୃଦୟରୁ କୃତଜ୍ଞତା। ଏହି ନିଷ୍ପତ୍ତି କେବଳ ନ୍ୟାୟପାଳିକା ଉପରେ ମୋର ବିଶ୍ୱାସକୁ ଆହୁରି ଦୃଢ଼ କରେ ନାହିଁ, ବରଂ ଆମର ସାମ୍ବିଧାନିକ ମୂଲ୍ୟବୋଧର ଶକ୍ତି ମଧ୍ୟ ପ୍ରତିଫଳିତ କରେ। ମୁଁ ସର୍ବଦା ନ୍ୟାୟପାଳିକା ଏବଂ ସମ୍ବିଧାନ ପ୍ରତି ମୋର କର୍ତ୍ତବ୍ୟକୁ ସମ୍ମାନ କରୁଥିବି।

ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେର୍‌ଫେର୍‌ ମାମଲାରେ ମନୀଷ ସିସୋଦିଆ ଗିରଫ ହେବା ପରେ ୯ ଅଗଷ୍ଟ ୨୦୨୪ରେ ସୁପ୍ରିମ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଏକ୍ସାଇଜ୍ ପଲିସି ମାମଲାରେ ଶୁଣାଣି ଶୀଘ୍ର ଶେଷ ହେବାର ଆଶାରେ ଅଭିଯୁକ୍ତଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାର୍ ପଛରେ ରଖାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ କହିଥିଲେ।

Leave a Reply

Your email address will not be published. Required fields are marked *