Spread the love

କଂଗ୍ରେସକୁ ଏକ ଲିଗାଲ୍ ନୋଟିସ୍ ପଠାଇଛନ୍ତି ମହାରାଷ୍ଟ୍ର ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୁପ୍ରିୟା ଶ୍ରୀନେଟ ଏବଂ ରାହୁଲ ଗାନ୍ଧିଙ୍କୁ ଏହି ନୋଟିସ୍ ପଠାଇଛନ୍ତି। ତାଙ୍କ ବିରୁଦ୍ଧରେ ଭୋଟ୍ ପାଇଁ ଟଙ୍କା ବାଣ୍ଟିଥିବାର ମିଛ ଅଭିଯୋଗ ଆଣିବା ଉପରେ ସେ କ୍ଷମା ମାଗିବାକୁ କହିଛନ୍ତି, ନଚେତ୍ ଶହେ କୋଟି ଟଙ୍କାର ମାନହାନୀ ମାମଲାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ତାୱଡେ।

ମଙ୍ଗଳବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ପଡ଼ିବାର ଦିନକ ପୂର୍ବରୁ ହାଇଡ୍ରାମା ଦେଖିବାକୁ ମିଳିଥିଲା। ପାଲଘର ଜିଲ୍ଲାର ଏକ ହୋଟେଲରେ ତାୱଡେ ସ୍ଥାନୀୟ ପ୍ରାର୍ଥୀଙ୍କୁ ୫ କୋଟି ଟଙ୍କା ଦେଇଥିବା ବାହୁଜନ ବିକାଶ ଆଗାଡି (BVA) ନେତା ହିତେନ୍ଦ୍ର ଠାକୁର ଅଭିଯୋଗ କରିଥିଲେ।

ତାୱଡେ ଏସବୁ ଟଙ୍କା ଭୋଟ୍ ପାଇଁ ବାଣ୍ଟିଥିବା ଅଭିଯୋଗ ଆଣିଥିଲେ ଠାକୁର। ଏହି ସମୟର କିଛି ଭିଡିଓ ଭାଇରାଲ୍ ହେବା ପରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ନେତା ତାୱଡେଙ୍କୁ ଘେରିଥିଲେ। ଏହାପରେ ନିର୍ବାଚନ ଆୟୋଗ ମଧ୍ୟ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ କରିଥିଲେ।

ବର୍ତ୍ତମାନ ଏହି ମାମଲାକୁ ନେଇ କଂଗ୍ରେସକୁ ଏକ ଆଇନଗତ ନୋଟିସ୍ ପଠାଇଛନ୍ତି ତାୱଡେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା, ଭିତ୍ତିହୀନ ଏବଂ ଭାବମୂର୍ତ୍ତି କ୍ଷୂର୍ଣ୍ଣ କରିବା ଉଦ୍ଦେଶ୍ୟରେ କରାଯାଇଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ କ୍ୟାସ୍-ଫର୍-ଭୋଟ୍ ପାଇଁ ତାଙ୍କୁ ଅଭିଯୁକ୍ତ ଦର୍ଶାଇଥିବା ତିନି କଂଗ୍ରେସ ନେତା କ୍ଷମା ମାଗନ୍ତୁ। ନଚେତ୍ ସେମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲାର ସାମ୍ନା କରିବାକୁ ପଡ଼ିବ।

ସେ ଆହୁରି କହିଛନ୍ତି, “ନିର୍ବାଚନ ଆୟୋଗ ଏବଂ ପୁଲିସ ତଦନ୍ତରେ ମୋ ପାଖରୁ ୫ କୋଟି ଟଙ୍କା ଜବତ କରାଯାଇନାହିଁ। ମିଥ୍ୟା ପ୍ରଚାର କରିବା କଂଗ୍ରେସର ଏକମାତ୍ର ଏଜେଣ୍ଡା। ଭିତ୍ତିହୀନ ଅଭିଯୋଗ ପାଇଁ ମୁଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି ଏବଂ ସେମାନଙ୍କ ଦଳର ମୁଖପାତ୍ର ସୁପ୍ରିୟା ଶ୍ରୀନେଟଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛି।”

Leave a Reply

Your email address will not be published. Required fields are marked *