Spread the love

୨୦୨୧ରେ ତତ୍କାଳୀୟ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଭେଟି ଲାଞ୍ଚ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଗୌତମ ଆଦାନୀ। ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।

SEC ଅଭିଯୋଗ କରିଛି ଯେ ଗୌତମ ଆଦାନୀ ୨୦୨୧ରେ ଜଗନ ରେଡ୍ଡୀଙ୍କୁ ସାକ୍ଷାତ କରି ସରକାରଙ୍କ ଦ୍ୱାରା ପରିଚାଳିତ ସୋଲାର ଏନର୍ଜି କର୍ପୋରେସନ୍ ଅଫ୍ ଇଣ୍ଡିଆ (SECI) ସହିତ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ସମୟରେ ଚୁକ୍ତି ସୁରକ୍ଷିତ ରଖିବା ପାଇଁ ଉଭୟଙ୍କ ମଧ୍ୟରେ ଟଙ୍କା କାରବାର ଉପରେ ଆଲୋଚନା ହୋଇଥିଲା।

SEC ଦାଖଲ କରିଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି ଯେ “ଏହି ବୈଠକ ସମୟରେ ଆଦାନୀ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇଥିଲେ, ନହେଲେ ଲାଞ୍ଚ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ୧,୭୫୦ କୋଟି ଟଙ୍କା ଲାଞ୍ଚ କାରବାର ହୋଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି।।

ବୈଠକର କିଛି ଦିନ ପରେ ଆନ୍ଧ୍ରପ୍ରଦେଶ SECIରୁ ୭ ଗିଗାୱାଟ ଶକ୍ତି କିଣିବାକୁ ରାଜି ହୋଇଥିଲା। ଏହା ସେତେବେଳେ କୌଣସି ରାଜ୍ୟ ଦ୍ୱାରା କିଣାଯାଇଥିବା ସର୍ବାଧିକ ସୌର ଶକ୍ତି ଥିଲା। ଏହାର ଅର୍ଥ ଦିଆଯାଇବା ଲାଞ୍ଚ କିମ୍ବା ପ୍ରତିଶ୍ରୁତି କାମ କରିଛି ବୋଲି ଆମେରିକାର ଏଜେନ୍ସି ଅଭିଯୋଗ କରିଛି।

ଆମେରିକାର ତଦନ୍ତକାରୀ ଏଜେନ୍ସି ଅଭିଯୋଗ କରିଛି ଯେ ଏକ ନିର୍ଦ୍ଦିଷ୍ଟ ମୂଲ୍ୟରେ ୧୨ ଗିଗାୱାଟ ସୌର ଉତ୍ପାଦିତ ବିଦ୍ୟୁତ୍ ଯୋଗାଇବା ପାଇଁ SECI ୨୦୨୦ରେ ଆଦାନୀ ଗ୍ରୁପ୍ ଏବଂ ଆଜୁର୍ ପାୱାରକୁ ଟେଣ୍ଡର ଦେଇଥିଲା। ଏହି ଟେଣ୍ଡର ମୂଲ୍ୟ ଅଧିକ ଥିବାରୁ ସୌର ଶକ୍ତି କିଣିବା ପାଇଁ SECI କ୍ରେତା ଖୋଜି ପାଇନଥିଲା।

SECI କ୍ରେତା ଖୋଜିବାରେ ଅସମର୍ଥ ହେବାରୁ ଆଦାନୀ ଏବଂ ଅଜୁରେ ରାଜ୍ୟ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବା ପାଇଁ ଷଡଯନ୍ତ୍ର କରିଥିଲେ। ୨୦୨୧-୨୦୨୩ ମଧ୍ୟରେ ରାଜ୍ୟ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକ ସହିତ ଚୁକ୍ତିନାମା ସୁରକ୍ଷିତ ରଖିବା ପାଇଁ ଆଦାନୀ ଗ୍ରୁପ୍ ୨୬୫ ମିଲିୟନ୍ ଡଲାର୍ ଲାଞ୍ଚ ଦେଇଥିବା ଅଭିଯୋଗ କରିଛି ଆମେରିକା ଏଜେନ୍ସି।

ଏହି କାରବାରରେ ଆନ୍ଧ୍ରପ୍ରଦେଶ ବ୍ୟତୀତ ଛତିଶଗଡ଼, ତାମିଲନାଡୁ, ଓଡିଶା ଏବଂ ଜମ୍ମୁ କଶ୍ମୀର ମଧ୍ୟ ସୌର ଶକ୍ତି ପାଇଁ ସାଇନ୍ ଅପ୍ କରିବାକୁ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକ୍ରମେ ଆମେରିକାର ଏକ କୋର୍ଟ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀଙ୍କ ସମେତ ୭ ଜଣଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି।

ଏହି ୱାରେଣ୍ଟ ଜାରି ପରେ ଆଦାନୀ ଗ୍ରୁପ୍ ଶେଆର ବଜାର ହ୍ରାସ ପାଇଛି। ଆଦାନୀ ଗ୍ରୁପର ୫ ଲକ୍ଷ ୩୫ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

ଅନ୍ୟପଟେ, ୨୦୧୯-୨୪ ମଧ୍ୟରେ କ୍ଷମତାରେ ଥିବା ଜଗନ ରେଡ୍ଡୀଙ୍କ YSR କଂଗ୍ରେସ ଏସବୁ ଅଭିଯୋଗକୁ ଖଣ୍ଡନ କରିଛି। ଆଦାନୀ ଗ୍ରୁପ୍ ସହ କୌଣସି ପ୍ରତ୍ୟକ୍ଷ ଚୁକ୍ତି ନାହିଁ ବୋଲି ଦଳ କହିଛି। ସେହିପରି ଆଦାନୀ ଗ୍ରୁପ୍ ମଧ୍ୟ ଆମେରିକା ଏଜେନ୍ସିର ସମସ୍ତ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇଛି।

Leave a Reply

Your email address will not be published. Required fields are marked *