Spread the love

ନୂଆଦିଲ୍ଲୀ :ଆସନ୍ତାକାଲି ସକାଳ ୮ଟାରେ ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ୍‌ ଆଶ୍ରମ। ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଘୋଷଣା କରିଛି। ଜିଏ, ଭୁବନେଶ୍ୱର ମହାନଗର ନିଗମ ନିଗମ (ବିଏମ୍‌ସି) ଓ କମିଶନରେଟ୍ ପୁଲିସ ମିଳିତ ଭାବେ ଆଶ୍ରମ ଭାଙ୍ଗିବେ। ତା’ ପୂର୍ବରୁ ଆଶ୍ରମ ଖାଲି କରିବା ପାଇଁ ମାଇକ୍‌ ମାଧ୍ୟମରେ ଘୋଷଣା କରାଯାଉଛି। ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରିରେ ୧୪୦ ଡିସିମିଲ୍ ସରକାରୀ ଜମିରେ ତିଆରି ହୋଇଥିଲା ବୈକୁଣ୍ଠଧାମ ଆଶ୍ରମ।
ବୈକୁଣ୍ଠଧାମ ଆଶ୍ରମରେ ବାବା ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ଲୀଳାଖେଳା କରୁଥିଲେ। ପ୍ରତିଦିନ ଭକ୍ତଙ୍କୁ ଭେଟୁଥିଲେ ଓ ପ୍ରବଚନ ଦେଉଥିଲେ। ସେଥିପାଇଁ ଭକ୍ତଙ୍କ ପ୍ରବଳ ଭିଡ ଜମୁଥିଲେ। ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ବାବାଙ୍କ ସରଣ ପଶୁଥିଲେ। ବାବାଙ୍କଠାରୁ ଆଶୀର୍ବାଦ ନେଇଯାଉଥିଲେ। ତେବେ ବାବାଙ୍କ ଗୋଟିଏ ଫଟୋ ଭାଇରାଲ୍‌ ହେବା ପରେ ବିବାଦ ବଢ଼ିଥିଲା। କୁନି ବାବାଙ୍କ ପାଦ ତଳେ ତୁଳସୀ ଥିବା ଦେଖିବାକୁ ମିଳିଥିଲା। ତା’ପରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ଏପରିକି ଭରତପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।
ବିବାଦ ଉଗ୍ର ରୂପ ଧାରଣ କରିବା ପୂର୍ବରୁ ବାବା ଓ ତାଙ୍କ ପରିବାର ରାତି ଅଧିଆ ଚମ୍ପଟ ମାରିଥିଲେ। ବାବା ଫେରାର ହେବା ପରେ ଆଶ୍ରମ ତିଆରି ହୋଇଥିବା ଜମିକୁ ନେଇ ବିବାଦ ଦେଖାଦେଇଥିଲା। ଆଶ୍ରମଟି ସରକାରୀ ଜମିରେ ତିଆରି ହୋଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ବିଏମ୍‌ସି ଓ ବିଡିଏ ତତ୍ପର ହୋଇଥିଲା। ଦୁଇ ଦିନ ତଳେ ପ୍ରଶାସନ ଆଶ୍ରମରେ ମାପଜୁପ କରିଥିଲେ। ମାପଚୁପ ପରେ ଆଶ୍ରମ ସରକାରୀ ଜମିରେ ତିଆରି ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହା ପରେ ଆଶ୍ରମ ଭାଙ୍ଗିବା ପାଇଁ ବିଡିଏ ଘୋଷଣା କରିଛି।

Leave a Reply

Your email address will not be published. Required fields are marked *