Spread the love

ନୂଆଦିଲ୍ଲୀ : ନୂଆ ବିବାଦରେ ଫସିଲେ ବିଶିଷ୍ଟ ଉଦ୍ୟୋଗପତି ତଥା ଭାରତର ସବୁଠାରୁ ଧନୀ ଏବଂ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ। ବଢ଼ିଲା ତାଙ୍କ ଅଡୁଆ। ତାଙ୍କ ବିରୋଧରେ ଆମେରିକା ଆଣିଲା ଗୁରୁତର ଅଭିଯୋଗ। ଆମେରିକାରେ ସୋଲାର ଏନର୍ଜୀ କଣ୍ଟ୍ରାକ୍ଟ ପାଇବା ପାଇଁ ସେ କୁଆଡେ ଦେଇଥିଲେ ଲାଞ୍ଚ। ୨୬୫ ମିଲିୟନ ଡଲାର ତଥା ୨୨୩୬ କୋଟିରୁ ଅଧିକ ଟଙ୍କାର ଲାଞ୍ଚ ଦେଇଥିବା ଓ ଏହାକୁ ଲୁଚାଇ ଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଉଠିଛି।
ନ୍ୟୁୟର୍କର ଫେଡେରାଲ କୋର୍ଟରେ ହୋଇଥିବା ଏକ ଶୁଣାଣିରେ ଗୌତମ ଆଦାନୀଙ୍କ ସମେତ ୮ ଜଣ ଲୋକ କୋଟି କୋଟି ଟଙ୍କାର ଠକେଇ କରିଥିବା ଏବଂ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ଏହି ସମଗ୍ର ବିଷୟ ଆଦାନୀ ଗ୍ରୁପ୍ କମ୍ପାନୀ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଏବଂ ଅନ୍ୟ ଏକ ସଂସ୍ଥା ସହିତ ଜଡିତ।
ବୁଧବାର ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଗୌତମ ଆଦାନୀଙ୍କ ପୁତୁରା ସାଗର ଆଦାନୀ, ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡର ଅଧିକାରୀ ତଥା ଅନ୍ୟ ଏକ ସଂସ୍ଥା ଆଜୁର୍ ପାୱାର୍ ଗ୍ଲୋବାଲ୍ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ସିରିଲ୍ କାବାନ୍ସଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରିଛି। ରିପୋର୍ଟରେ କୁହାଯାଇଛି ଯେ ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର ସମେତ ଅନ୍ୟ ୭ ଜଣ ସେମାନଙ୍କର ରିନ୍ୟୁଏବଲ ଏନର୍ଜୀ କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ପାଇବା ଏବଂ ଭାରତର ସର୍ବ ବୃହତ ସୋଲାର ପ୍ୟାନେଲ ଉତ୍ପାଦନ ପ୍ରକଳ୍ପର ବିକାଶ ପାଇଁ ପ୍ରାୟ ୨୬୫ ନିୟୁତ ଡଲାର୍ର ଲାଞ୍ଚ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ଦାବି କରାଯାଉଛି ଯ, ଏ ସମଗ୍ର ମାମଲା କୋଟି କୋଟି ଡଲାରର ଲାଭ ସହ ଜଡିତ। ରିପୋର୍ଟରେ କୁହାଯାଇଛି ଯେ, ଏହି ଚୁକ୍ତିନାମା ମାଧ୍ୟମରେ ଆଦାନୀ ଗ୍ରୁପ୍ ୨୦ ବର୍ଷ ମଧ୍ୟରେ ୨ ବିଲିୟନ ଡଲାରରୁ ଅଧିକ ଲାଭ ପାଇବ ବୋଲି ଆଶା କରିଥିଲା। ଅଭିଯୋଗ ହୋଇଛି ଯେ ୨୦୨୦ ରୁ ୨୦୨୪ ମଧ୍ୟରେ ଅଧିକାରୀମାନଙ୍କୁ ଏହି ଲାଞ୍ଚ ଦିଆଯାଇଥିଲା। ଏହା ସହିତ, ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଏହି ଲାଭ ପାଇଁ ଆମେରିକା ସମେତ ଅନ୍ୟ ଦେଶର ନିବେଶକ ଏବଂ ବ୍ୟାଙ୍କଗୁଡିକ ମିଛ କହି ଠକିଥିଲା ଆଦାନୀ ଗ୍ରୁପ।
ଆଦାନୀ ଗ୍ରୀନ ଏନର୍ଜିର ଅନ୍ୟ ଜଣେ କର୍ମଚାରୀ, ପୂର୍ବତନ ସିଇଓ ବିନିତ ଜୈନ ଋଣଦାତା ଓ ନିବେଶକଙ୍କଠାରୁ ନିଜ ଦୁର୍ନୀତିକୁ ଲୁଚାଇବା ପାଇଁ ୩ ବିଲିୟନ ଡଲାରରୁ ଅଧିକ ଋଣ ଏବଂ ବଣ୍ଡ ସଂଗ୍ରହ କରିଥିଲେ ବୋଲି ଦାବି ହୋଇଛି। କହିରଖୁ ଯେ, ବିନିତ ଜୈନ ୨୦୨୦ ରୁ ୨୦୨୩ ପର୍ଯ୍ୟନ୍ତ କମ୍ପାନୀର ସିଇଓ ଥିଲେ।
ସାଗର ଆଦାନୀ ଓ ବିନିତ ଜୈନ୍‌ ଗ୍ରୀନ୍‌ ଏନର୍ଜୀ ଲିମିଟେଡ୍‌ର ଅଧିକାରୀ ଅଟନ୍ତି। ସାଗର ହେଉଛନ୍ତି ଗୌତମ ଆଦାନୀଙ୍କ ପୁତୁରା। ରୟଟର୍ସର ରିପୋର୍ଟ ମୁତାବକ, ଗୌତମ ଆଦାନୀ ଓ ସାଗରଙ୍କ ବିରୋଧରେ ଆମେରିକା କୋର୍ଟ ଗିରଫ ଓ୍ୱାରେଣ୍ଟ ଜାରି କରିଛି। ଆମେରିକୀୟ ନିବେଶକଙ୍କ ଟଙ୍କା ଏହି ପ୍ରକଳ୍ପରେ ଲାଗିଥିବାରୁ ସେଠାରେ ଏହି ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *