Spread the love

ଭୁବନେଶ୍ବର : କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଆମ୍ବ ଟାକୁଆ ଟ୍ରାଜେଡିରେ ପୁଣି ଜଣଙ୍କ ଜୀବନ ଗଲା। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମହିଳାଙ୍କର ଆଜି ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାଁ ଜିତା ମାଝୀ। ଏହା ସହିତ ଆମ୍ବ ଟାକୁଆ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି।
ଗତ ୨ ତାରିଖରେ ଗୁରୁତର ଅବସ୍ଥାରେ ଜିତାଙ୍କୁ SCB ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ମେଡିସିନ ବିଭାଗର ଆଇସିୟୁରେ ରଖାଯାଇଥିଲା। ସେଠାରେ ଭେଣ୍ଟିଲେଟର ସହାୟତାରେ ତାଙ୍କର ହେମୋ ଡାୟଲିସିସ କରାଯାଉଥିଲା। ହେଲେ ଡାକ୍ତରମାନଙ୍କର ଶତ ଚେଷ୍ଟା ସତ୍ତ୍ୱେ ଆଜି ଅପରାହ୍ନ ୨ଟା ୩୫ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିବା ମେଡ଼ିକାଲ ପକ୍ଷରୁ ସୂଚନା ଦିଆଯାଇଛି।
ଆମ୍ବ ଟାକୁଆ ଖାଇ ଗୁରୁତର ଥିବା ଆଉ ଜଣେ ଏବେ ବି ଏସସିବିରେ ଚିକିତ୍ସାଧୀନ ଅଛନ୍ତି। ଆମ୍ବ ଟାକୁଆ ଖାଇ ପୂର୍ବରୁ ବ୍ରହ୍ମପୁରର MKCG ମେଡିକାଲ କଲେଜ ଓ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ଜୀବନ ଯାଇଥିଲା।
ଏହି ଆମ୍ବ ଟାକୁଆ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତିରେ ତମ୍ବିତୋଫାନ ଦେଖିବାକୁ ମିଳିଛି। ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବାକୁ ପ୍ରୟାସ କରିଛନ୍ତି। ଅନ୍ୟପକ୍ଷରେ ଗତ ୫ ତାରିଖରେ ସରକାର ଘଟଣାର ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *