Spread the love

ଇମ୍ଫାଲ : ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଏକ ଚିଠି ଲେଖି ସମର୍ଥନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି ଏନପିପି। ମଣିପୁରରେ ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ନେତୃତ୍ୱରେ ବିଜେପି ସରକାର ବର୍ତ୍ତମାନର ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ଏନପିପି।
ମଣିପୁରର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ନ୍ୟାସନାଲ ପିପୁଲ୍ସ ପାର୍ଟି ପକ୍ଷରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଏକ ଚିଠି ଲେଖାଯାଇଛି। ଏଥିରେ ଲେଖାଯାଇଛି ଯେ, ରାଜ୍ୟରେ ବର୍ତ୍ତମାନର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଦଳ ଗଭୀର ଚିନ୍ତା ପ୍ରକଟ କରୁଛି। ଗତ କିଛିଦିନ ମଧ୍ୟରେ ଆମେ ଦେଖୁଛୁ ଯେ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି। ଅନେକ ନିରୀହ ଲୋକ ପ୍ରାଣ ହରାଉଛନ୍ତି। ରାଜ୍ୟର ଲୋକମାନେ ବହୁତ ଯନ୍ତ୍ରଣା ଭୋଗୁଛନ୍ତି। ଆମେ ଅନୁଭବ କରୁଛୁ ଯେ ମୁଖ୍ୟମନ୍ତ୍ରୀ ବୀରେନଙ୍କ ନେତୃତ୍ୱରେ ମଣିପୁର ରାଜ୍ୟ ସରକାର ସଙ୍କଟର ସମାଧାନ ତଥା ସ୍ୱାଭାବିକତା ଫେରାଇ ଆଣିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ନ୍ୟାସନାଲ ପିପୁଲ୍ସ ପାର୍ଟି ମଣିପୁରରେ ବୀରେନ ସିଂହ ନେତୃତ୍ୱାଧୀନ ସରକାରରୁ ତୁରନ୍ତ ସମର୍ଥନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି।
ମିଳିଥିବା ସୂଚନା ଅନୁସାରେ, ମଣିପୁରର ବର୍ତ୍ତମାନ ପରିସ୍ଥିତିକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ଦିଲ୍ଲୀରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ମଣିପୁରର ସୁରକ୍ଷା ସ୍ଥିତି ସମୀକ୍ଷା କରାଯାଇଥିଲା। ଅମିତ ଶାହ ମହାରାଷ୍ଟ୍ରରୁ ନିଜର ରାଜନୈତିକ କାର୍ଯ୍ୟକ୍ରମ ବାତିଲ କରି ଏହି ବୈଠକରେ ଯୋଗ ଦେବାକୁ ଦିଲ୍ଲୀରେ ପହଞ୍ଚିଥିଲେ। ସୋମବାର ମଧ୍ୟ ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହ ଆଉ ଏକ ବଡ଼ ବୈଠକ କରିବେ।

Leave a Reply

Your email address will not be published. Required fields are marked *