Spread the love

ଅଧା ରାସ୍ତାରେ ବେକରେ ଟାଙ୍ଗିଆ ରଖି ନେଇଗଲେ ୭ ଲକ୍ଷରୁ ଅଧିକ ଟଙ୍କା। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ମୁରିବାହାଲ ଥାନା ହଳଦୀ ଗାଁରେ ରହିଛି ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ଗ୍ରାହକ ସେବା କେନ୍ଦ୍ର। ସେହି ଗ୍ରାହକ ସେବା କେନ୍ଦ୍ରଟି ମିନି ବ୍ୟାଙ୍କ ଭାବେ କାମ କରୁଥିଲା। ସେଠାରେ ଟଙ୍କା ଉଠାଣ ଓ ଜମା କରାଯାଉଥିଲା। ସେହି ସେବା କେନ୍ଦ୍ରର କର୍ମଚାରୀ ଲଳିତ ଗହୀର। ସେ ଆଜି ସକାଳେ ୭ ଲକ୍ଷ ୩୨୦୦ ଟଙ୍କା ଧରି ନିଜ ଭଉଣୀଙ୍କ ସହ ଗ୍ରାହକ ସେବା କେନ୍ଦ୍ରକୁ ଯାଉଥିଲେ। ତେବେ ଅଧା ରାସ୍ତାରେ ୨ ଜଣ ଯୁବକ ଏକ ବାଇକ୍‌ରେ ଆସି ସେମାନଙ୍କୁ ଅଟକାଇଥିଲେ। ଲଳିତଙ୍କ ବେକରେ ଟାଙ୍ଗିଆ ଲଗାଇ ଦେଇଥିଲେ। ଆଉ ତାଙ୍କ ପାଖରେ ଥିବା ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ।

ଲୁଟ୍‌ ହୋଇଥିବା ବ୍ୟାଗରେ ଟଙ୍କା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର, ଲେପ୍‌ଟପ୍‌, ATM କାର୍ଡ ରହିଛି। ଏହାଛଡ଼ା ଖୁଚୁରା ଟଙ୍କା ମଧ୍ୟ ରହିଛି। ଏନେଇ ଲଳିତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ପୁଲିସ୍‌ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରି ନାହିଁ।

Leave a Reply

Your email address will not be published. Required fields are marked *