Spread the love

ବନ୍ଦ ହେଲା ପ୍ରସିଦ୍ଧ କେଦାରନାଥ ପୀଠ କପାଟ । ଶୀତ ଋତୁ ପାଇଁ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା ପରେ ଆଜି ବାବା କେଦାରନାଥ ପୀଠ କପାଟକୁ ବନ୍ଦ କରାଯାଇଛି । ତୁଷାରପାତ ଆରମ୍ଭରୁ ଏହାକୁ ବନ୍ଦ କରାଯାଇଥିବାବେଳେ ୬ ମାସ ପରେ ଏହା ଖୋଲିବ ବୋଲି ଜଣାପଡିଛି ।

୧୧ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଅନ୍ୟତମ ଧାମ ଭାବେ ବିଶ୍ୱ ବିଖ୍ୟାତ କେଦାରନାଥ ପୀଠକୁ ଆଜି ପ୍ରାୟ ୧୦ କୁଇଣ୍ଟାଲ ଫୁଲରେ ସଜାଯାଇଛି। ଏଥିନିମନ୍ତେ ରାତି ୪ଟାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସକାଳ ୮ଟା୩୦ରେ କପାଟ ବନ୍ଦ କରାଯାଇଛି । ଆଜି ବାବା କେଦାରନାଥଙ୍କ ଦର୍ଶନ କରିବା ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି।

ପ୍ରତିବର୍ଷ ଭୟା ଦୁଜ ଦିନରେ ହିଁ କେଦାରନାଥ କପାଟକୁ ବନ୍ଦ କରାଯାଇଥାଏ। ଏହି ସମୟରେ କେଦାରନାଥ ପୀଠରେ ପୂଜା ପାଉଥିବା ପଞ୍ଚମୁଖି ମୂର୍ତ୍ତିର ଚଳନ୍ତି ପ୍ରତିମାକୁ ଦୋଳିରେ ବିରାଜମାନ କରାଯାଇ ଓଁକାରେଶ୍ୱର ମନ୍ଦିର ନିଆ ଯାଇଥାଏ। ଆଜି ଚଳନ୍ତି ପ୍ରତିମା ଗୌରିକୁଣ୍ଡ, ସୋନପ୍ରୟାଗ ହୋଇ ରାମପୁରରେ ପହଞ୍ଚିବ ।

ଆସନ୍ତା ୫ ତାରିଖରେ ଓଁକାରେଶ୍ୱର ମନ୍ଦିରରେ ବିରାଜମାନ ହେବେ ପ୍ରଭୁ କେଦାରନାଥ । ଏହାପରେ ପୂରା ଶୀତ ଦିନରେ ସେଠାରେ ହିଁ ଭକ୍ତମାନେ ବାବା କେଦାରନାଥଙ୍କ ଦର୍ଶନ କରିପାରିବେ। ଚଳିତ ବର୍ଷ ବାବା କେଦାରନାଥଙ୍କ ଦର୍ଶନ ନିମନ୍ତେ ୧୬ ଲକ୍ଷରୁ ଅଧିକ ଯାତ୍ରୀଙ୍କ ଆଗମନ ହୋଇଥିଲା।

ଏହା ପୂର୍ବରୁ ଗତକାଲି ଗଙ୍ଗୋତ୍ରୀ ଧାମ କପାଟ ବନ୍ଦ ହୋଇଥିବା ବେଳେ ଆଜି କେଦାରନାଥ ଧାମ କପାଟ ବନ୍ଦ ହୋଇଛି। ଏହାପରେ ଆସନ୍ତାକାଲି ବଦ୍ରିନାଟ କପାଟ ବନ୍ଦ ହେବ ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *