Spread the love

ସୁବର୍ଣ୍ଣପୁର: ତାତିଲେ ଗାଁ ଲୋକେ। ୩ ଡକାୟତଙ୍କ ସମେତ ପୁଲିସ୍‌କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ପୁଲିସ୍‌ ଗାଡ଼ିକୁ ଭାଙ୍ଗିଲେ। ଯେଉଁଥିପାଇଁ ରଣକ୍ଷେତ୍ର ପାଲଟିଲା ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଆନନ୍ଦନଗର ଗାଁ ଦାଣ୍ଡ। ଗାଁ ଲୋକଙ୍କ ଆକ୍ରମଣରେ ଦୁଇ ପୁଲିସ୍‌ ASI ଗୁରୁତର ଆହତ ହୋଇଛନ୍ତି। ପରେ ପୁଲିସ୍‌ ଫୋର୍ସ ଯାଇ ଲାଠି ଚାର୍ଜ କରି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ୩ ଚୋର ଓ ଆହତ ହୋଇଥିବା ଦୁଇ ଏଏସ୍‌ଆଇ ଏବଂ ଅନ୍ୟ ପୁଲିସ୍‌ କର୍ମଚାରୀଙ୍କୁ ଉଦ୍ଧାର କରିଛନ୍ତି।

ଗାଁ ଲୋକଙ୍କ କହିବା ଅନୁସାରେ ମଙ୍ଗଳବାର ରାତି ପ୍ରାୟ ୧୨ଟା ହେବ। ୩ ଜଣ ନାବାଳକ ଏକ ବାଇକ୍‌ରେ ଆସି ଆନନ୍ଦନଗର ଗାଁ ପାଖ ଦେଇ ଯାଇଥିବା ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲେ। ଆଉ ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ନାନା ହଇରାଣ କରୁଥିଲେ। ରାତିର ଅନ୍ଧାରର ସୁଯୋଗ ନେଇ ସେମାନେ ପଥଚାରୀଙ୍କୁ ଭୟଭୀତ କରି ଟଙ୍କା ଓ ମୋବାଇଲ୍‌ ଲୁଟୁଥିବା ଅଭିଯୋଗ ହୋଇଛି।

ଗାଁ ଲୋକେ ଏ ସମ୍ପର୍କରେ ଜାଣିପାରି ୩ ନାବାଳକ ଚୋରଙ୍କୁ କାବୁ କରି ନିର୍ଦ୍ଧୁମ ପିଟିଥିଲେ। ପରେ ସେମାନଙ୍କୁ କ୍ଲବ ଘରେ ପୂରାଇ ତାଲା ପକାଇ ଦେଇଥିଲେ। ଏ ନେଇ ବିନିକା ଥାନାକୁ ଖବର ଦେଇଥିଲେ। ହେଲେ ରାତିରେ ପୁଲିସ୍‌ ଆସିଲା ନାହିଁ। ଆଜି ସକାଳ ପ୍ରାୟ ୭ଟା ବେଳେ ଏଏସଆଇ ତ୍ରିନାଥ ସାହୁ, ସୁଜାତା ବୁଡେକ ଓ ରଞ୍ଜନ ନାୟକ ସଦଳବଳେ ଗାଁରେ ପହଞ୍ଚିଥିଲେ। କ୍ଲବ ଘରେ ବନ୍ଦୀଥିବା ୩ ଚୋରଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ ଗାଁ ଲୋକେ ବିରୋଧ କରିଥିଲେ।

ଗାଁ ଲୋକଙ୍କ ସହିତ ପୁଲିସ୍‌ ଆଲୋଚନା କରୁଥିଲା। ଠିକ୍‌ ସେହି ସମୟରେ ୩ ଚୋରଙ୍କ ଭିତରୁ ଜଣଙ୍କ ମାଆ ସେଠାରେ ସମସ୍ତଙ୍କ ଆଗରେ ଉଲ୍ଲଗ୍ନ ହୋଇଯାଇଥିଲେ। ତା’ପରେ ଆରମ୍ଭ ହୋଇଥିଲା ହୋ-ହଲ୍ଲା ଓ ଠେଲାପେଲା। ପୁଲିସ୍‌ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ଗାଁ ଲୋକ। ଯେଉଁଥିପାଇଁ ଗାଁ ଦାଣ୍ଡ ରଣକ୍ଷେତ୍ରରେ ପରିଣତ ହୋଇଯାଇଥିଲା। ଗାଁ ଲୋକଙ୍କ ମାଡ଼ରେ ଏଏସଆଇ ତ୍ରିନାଥ ସାହୁ ଓ ସୁଜାତା ବୁଡେକଙ୍କ ସମେତ ଆଉ କିଛି ପୁଲିସ୍‌ କର୍ମଚାରୀ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ସୋନପୁର ଏସ୍‌ଡିପିଓ ପ୍ରତାପ ତ୍ରିପାଠୀ ଗୋଟିଏ ପ୍ଲାଟୁନ୍‌ ଫୋର୍ସ ଧରି ଗାଁରେ ପହଞ୍ଚିଥିଲେ। ସ୍ଥିତି ଅଣାୟତ୍ତ ହୋଇଥିବା ଦେଖି ଲାଠି ଚାର୍ଜ କରିଥିଲେ। ଗାଁ ଲୋକେ ଛତ୍ରଭଙ୍ଗ ଦେଇ ପଳାଇଯାଇଥିଲେ। ଏହା ପରେ ଆହତ ହୋଇଥିବା ୩ ଡକାୟ ଓ ଦୁଇ ଏଏସ୍‌ଆଇଙ୍କୁ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସୁରକ୍ଷା ଦୃଷ୍ଟିରୁ ଗାଁରେ ଏବେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଏହି ମାମଲାରେ ପୁଲିସ୍‌ ୧୧ ଜଣ ଗାଁ ଲୋକଙ୍କୁ ଅଟକ ରଖିଛି।

Leave a Reply

Your email address will not be published. Required fields are marked *