Spread the love

ଟିଟିଲାଗଡ : ‘ସୁଭଦ୍ରା’ ଫର୍ମ ପୂରଣ ପାଇଁ ମହିଳାଙ୍କଠାରୁ ଟଙ୍କା ନେବା ମହଙ୍ଗା ପଡ଼ିଛି। ଗିରଫ ହୋଇଛି CSCର ଜଣେ କର୍ମଚାରୀ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
‘ସୁଭଦ୍ର’ ଯୋଜନ ଫର୍ମ ଆବେଦନ ସମ୍ପୂର୍ଣ୍ଣ ମାଗଣା ରହିଛି। ଏହା ସତ୍ତ୍ୱେ ଟିଟିଲାଗଡ ମନିଗାଁରେ ଥିବା ଜନସେବା କେନ୍ଦ୍ରର କର୍ମଚାରୀ ଆକାଶ ସାହୁ ସୁଭଦ୍ରା ଯୋଜନା ଫର୍ମ ଆବେଦନ ପାଇଁ ଜଣାକୁ ୧୩୦ ଟଙ୍କା ଲେଖାଏଁ ନେଉଥିଲେ। ଏନେଇ ଟିଟିଲାଗଡ଼ ବିଡିଓ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଆକାଶକୁ ଗିରଫ କରିଥିଲା। ‘ସୁଭଦ୍ରା’ ଯୋଜନା ଫର୍ମ ପୂରଣ ପାଇଁ ସେ ଟଙ୍କା ନେଉଥିବା ପୁଲିସ୍‌ ପାଖରେ ସ୍ୱୀକାର କରିଛି। ଏନେଇ ସୂଚନା ଦେଇଛନ୍ତି ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର।
ଏସ୍‌ଡିପିଓଙ୍କ କହିବା ଅନୁସାରେ ପ୍ରାଥମିକ ତଦନ୍ତରୁ ଆକାଶ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଏବେ ମଧ୍ୟ ଘଟଣାର ତଦନ୍ତ ଚାଲିଛି। ଏହି ମାମଲାରେ ଆଉ ଯେଉଁମାନଙ୍କ ସମ୍ପୃକ୍ତି ଥିବ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ଡିପିଓ କହିଛନ୍ତି।
ସୂଚନାରୁ ପ୍ରକାଶ, ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ମହିଳାଙ୍କୁ ବର୍ଷକୁ ୧୦ ହଜାର ଲେଖାଏଁ ୫ ବର୍ଷକୁ ୫୦ ହଜାର ଟଙ୍କା ଦେବେ। ସେଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଆବେଦନ କରାଯାଉଛି। ଜନସେବା କେନ୍ଦ୍ର ଓ ଗ୍ରାହକ ସେବା କେନ୍ଦ୍ରରେ ଆବେଦନ କରାଯାଉଛି। ସୁଭଦ୍ରା ପାଇଁ ଆବେଦନ ସମ୍ପୂର୍ଣ୍ଣ ମାଗଣା ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଏହା ସତ୍ତ୍ୱେ କେତେକ ବ୍ୟକ୍ତି ଫର୍ମ ପୂରଣ ପାଇଁ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *