Spread the love

ବାରିପଦା : ଶ୍ୱଶୁର ଘରେ ସ୍ତ୍ରୀଙ୍କ ଗଳା କାଟିଲା ସ୍ୱାମୀ। ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଘଟିଛି। ପରକୀୟା ପ୍ରୀତିରୁ ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
କପ୍ତିପଦା ଥାନା କଷିବିଲ ଗାଁର ବିରଂଚି ନାଏକ ୪ ବର୍ଷ ତଳେ ବିବାହ କରିଥିଲେ। ସେ ଭଙ୍ଗାବନ୍ଧ ଗାଁର ପାର୍ବତୀ ନାଏକଙ୍କୁ ବିବାହ କରିଥିଲେ। ବାହାଘର ପରେ କିଛି ମାସ ସଂସାର ଠିକ୍‌ଠାକ୍‌ ଚାଲିଥିଲା। ହେଲେ ହଠାତ୍‌ ଉଠିଲା ପରିବାର ଭିତରେ ଅଶାନ୍ତିର ଝଡ଼। ପତ୍ନୀଙ୍କ ଚରିତ୍ର ସନ୍ଦେହକୁ ନେଇ ଘରେ ପାଟିତୁଣ୍ଡ ହେଉଥିଲା। ଯେଉଁଥିପାଇଁ ଦୁଇ ମାସରେ ପାର୍ବତୀ ତାଙ୍କ ବାପଘରକୁ ପଳାଇ ଯାଇଥିଲେ। ସେଠାରେ ନିଜ ଘର ଲୋକଙ୍କ ସହିତ ରହୁଥିଲେ।
ପତ୍ନୀ ବାପ ଘରକୁ ଗଲା ପରେ ସମ୍ପୂର୍ଣ୍ଣ ଏକ ଘରିଆ ହୋଇପଡ଼ିଥିଲେ ବିରଞ୍ଚି। ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ନାନା ସନ୍ଦେହ ବିରଞ୍ଚିଙ୍କ ମନ ଭିତରେ ଘର କରୁଥିଲା। ଆଜି ସନ୍ଧ୍ୟା ବେଳେ ବିରଞ୍ଚିଙ୍କ ମନରେ ଉଠିଥିବା ସନ୍ଦେହର ନିଆଁ ବିସ୍ଫୋରକ ରୂପ ନେଇଥିଲା। ହାତରେ ଏକ ଛୁରୀ ଧରି ଶ୍ୱଶୁର ଘରେ ପହଞ୍ଚି ଥିଲେ। ଆଉ ବଡ଼ ପାଟିରେ ନିଜ ପତ୍ନୀ ପାର୍ବତୀଙ୍କୁ ଡାକିଥିଲେ। ସେ ଆସିବା କ୍ଷଣି ତାଙ୍କୁ ଧରି ବେକ କାଟି ଦେଇଥିଲେ। ଯାହାଫଳରେ ପାର୍ବତୀଙ୍କ ବେକରେ ଗଭୀର କ୍ଷତ ହୋଇଛି। ଚିତ୍କାର ଶୁଣି ସାହିପଡ଼ିଶା ଘରୁ ବାହାରି ଆସିଥିଲେ। ହେଲେ ବିରଞ୍ଚି ସେଠାରେ ଚମ୍ପଟ ମାରିବାରେ ସଫଳ ହୋଇଥିଲେ।
ପାର୍ବତୀ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି କପ୍ତିପଦା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଆକ୍ରମଣ କରିଥିବା ବିରଞ୍ଚିଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ କରୁଛି। ପ୍ରାଥମିକ ତଦନ୍ତରୁ ପରକୀୟା ପ୍ରୀତିକୁ ନେଇ ଏଭଳି କାଣ୍ଡ ହୋଇଥିବା ପୁଲିସ୍ ସନ୍ଦେହ କରୁଛି।

Leave a Reply

Your email address will not be published. Required fields are marked *