Spread the love

ଗଣେଶ ପୂଜା ଭୋଗ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଭିଭାବକ ଅସୁସ୍ଥ ହୋଇଛନ୍ତି। ଆଜି ସେମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଭୋଗ ଖାଇବା ପରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଏପରି ଚିତ୍ର ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ୍‌ରେ ଦେଖିବାକୁ ମିଳିଛି।

ଶନିବାର ବାଙ୍ଗିରିପୋଷୀ ବ୍ଲକ୍‌ ଭୂଆଶୁଣୀ ପଞ୍ଚାୟତ ରାୟାଁ ଗାଁ ସ୍କୁଲରେ ଗଣେଶ ପୂଜା ହୋଇଥିଲା। ପୂଜାରେ ଚୁଡ଼ା ଭୋଗ କରାଯାଇଥିଲା। ପୂଜା ପରେ ସେହି ଚୁଡ଼ା ଭୋଗକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନେ ସେବନ କରିଥିଲେ। ଗଣେଶ ପୂଜା ସରିବା ପରେ ସମସ୍ତେ ଘରକୁ ଫେରିଥିଲେ। ହେଲେ ରାତିରେ ଜଣେ ଜଣେ ଝାଡ଼ା ବାନ୍ତି କରିଥିଲେ। ୫୦ରୁ ଅଧିକ ଅଭିଭାବକ ଓ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସକାଳେ ସେମାନଙ୍କୁ ବାଙ୍ଗିରିପୋଷୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି।

ପ୍ରସାଦ ଖାଇବା ପରେ ଅଭିଭାବକ ଓ ସ୍କୁଲ ପିଲାମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ମେଡ଼ିକାଲ୍‌ ଟିମ୍‌ ରାୟାଁ ଗାଁକୁ ଯାଇଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷିଣ ନଜର ରଖିଛି ମେଡ଼ିକାଲ୍‌ ଟିମ୍‌। ଭୋଗ ବିଷାକ୍ତ ଯୋଗୁ ଝାଡ଼ାବାନ୍ତି ହୋଇଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *