Spread the love

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଭଡ଼ା ଘରେ ଚାଲିଥିଲା ତନ୍ତ୍ର ସାଧନା। ଆଉ କାଉଁରୀ କନ୍ୟାଙ୍କୁ ବଳି ଦିଆଯାଉଥିବା ଅଭିଯୋଗ ହେଉଛି। ଘର ଭିତରୁ ହାଡ ଓ ରକ୍ତ ରଞ୍ଜିତ ଗାଙ୍ଗୁଲା ମିଳିଥିବାରୁ ବଳି ଦିଆଯାଉଥିବା ଅଭିଯୋଗକୁ ବଳ ମିଳିଛି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି। ସେପଟେ କିନ୍ତୁ ତାନ୍ତ୍ରିକ ଜଣକ ଫେରାର ହୋଇଯାଇଛନ୍ତି।
ରବି ଟକିଜ୍‌ ବ୍ରହ୍ମେଶ୍ୱରପାଟଣାରେ ଏକ ଘରକୁ ଭଡ଼ାରେ ନେଇ ରହୁଥିଲେ ଜଣେ ବ୍ୟକ୍ତି। ସେ ସେଠାରେ ତନ୍ତ୍ର ସାଧନା କରୁଥିଲେ। ଘରର ଚାରି କୋଣରେ ମାଟି ହାଣ୍ଡି ରଖାଯାଇଥିବା ଦେଖିବାକୁ ମିଳିଛି। ଘର ମଝିରେ ୬ ଫୁଟ୍‌ ଲମ୍ୱର ଓ ଓସାରରେ ଗୋଟିଏ ଗାତ ଖୋଳା ଯାଇଛି। ଖୋଳା ଯାଇଥିବା ଗାତର ଗଭୀରତା ଦଶ ଫୁଟ୍‌ ହେବ ବୋଲି ଅନୁମାନ କରାଯାଉଛି। ସେଠାରେ ହୋମ ହଜ୍ଞ ହେଉଥିଲା। ତେଣୁ ବିପୁଳ ପରିମାଣର ହୋମ କାଠ ଓ ୫ କେଜିରୁ ଅଧିକ ଘିଅ ଥିବା ଦେଖିବା ମିଳିଛି। ଏହାଛଡ଼ା ହୋମ ପାଇଁ ହୋଇଥିବା କୁଣ୍ଡ ପାଖରେ ହାଡ ଓ ରକ୍ତ ଭିଜା ଗୋଟିଏ ଗାଙ୍ଗୁଲା ପଡ଼ିଥିବାରୁ ସେଠାରେ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି। ତେବେ ବଳି ସନ୍ଦେହକୁ ବଳ ଦେଇଛି ଘର ମାଲିକଙ୍କ ଅଭିଯୋଗ। ଘର ମାଲିକଙ୍କ କହିବା କଥା, ତାନ୍ତ୍ରିକ ଜଣକ ପ୍ରତି ସନ୍ଧ୍ୟାରେ ନୂଆ ନୂଆ ଝିଅ ଧରି ଆସୁଥିବା ଦେଖିବାକୁ ପାଇଥିଲେ। ହେଲେ ଯୁବତୀଙ୍କ ଫେରିବା ଦେଖିନାହାନ୍ତି ବୋଲି ଘର ମାଲିକ କହିଛନ୍ତି। ତେଣୁ ସେଠାରେ ଯୁବତୀଙ୍କୁ ବଳି ଦିଆଯାଇଥାଇପାରେ ବୋଲି ସନ୍ଦେହ ହେଉଛି।
ତାନ୍ତ୍ରିକ ଜଣକ ପ୍ରତିଦିନ ଘରେ ପୂଜାପାଠ ଓ ହୋମ ଯଜ୍ଞ କରୁଥିଲେ। ଘର ଭିତରେ ତ୍ରିଶୁଳ, ସିନ୍ଦୂର, ଘିଅ, ଶାବଳ, କୋଦାଳ, ନାଲି ରଙ୍ଗର କପଡ଼ା ବିଭିନ୍ନ ଦେବାଦେବୀଙ୍କ ଫଟୋ ଓ ଅନ୍ୟାନ୍ୟ ସାମଗ୍ରୀ ରଖିଥିବା ଦେଖିବାକୁ ମିଳିଥିଲା। ପ୍ରତିଦିନ ହୋମ ଯଜ୍ଞ ହେଉଥିବାରୁ ଘରର ଛାତ ଓ କାନ୍ଥ କଳା ପଡ଼ି ଯାଇଛି। ଅଭିଯୋଗ ଅନୁସାରେ ତାନ୍ତ୍ରିକ ରହୁଥିବା ଘରୁ ମଣିଷ ପୋଡ଼ିଲା ଭଳି ଦୁର୍ଗନ୍ଧ ବାହାରୁଥିଲା। ତେଣୁ ଘର ମାଲିକଙ୍କ ମନରେ ସନ୍ଦେହ ବଢ଼ିଥିଲା। ଘର ଛାଡ଼ିବା ପାଇଁ ଘର ମାଲିକ କହିଥିଲେ। ହେଲେ ତାନ୍ତ୍ରିକ ଜଣକ ଘର ଛାଡ଼ିବା ବଦଳରେ ଧମକ ଦେଇଥିଲେ। ତନ୍ତ୍ର ବଳରେ ଦୁର୍ଘଟଣା ଘଟାଇ ମାରି ଦେବାର ଧମକ ଦେଇଥିଲେ। ସତକୁ ସତ ଯେଉଁଦିନ ଧମକ ଦିଆଯାଇଥିଲା, ସେହି ଦିନ ଘର ମାଲିକ ସ୍ୱାମୀ ଓ ସ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣା ହୋଇଥିଲା। ଆଉ ଉଭୟ ଆହତ ହୋଇଥିଲେ। ଏହାପରେ ସେମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
କମିଶନରେଟ୍‌ ପୁଲିସ ଘଟଣାର ତଦନ୍ତ ଚଳାଇଛି। ହେଲେ ତାନ୍ତ୍ରିକ ଜଣକ ଫେରାର ହୋଇଯାଇଥିବାରୁ ତାଙ୍କ ପରିଚୟ ଜଣାପଡ଼ି ନାହିଁ।

Leave a Reply

Your email address will not be published. Required fields are marked *