Spread the love

ବାଂଲାଦେଶକୁ ଟ୍ରେନ୍ ଚଳାଚଳ ବନ୍ଦ ରଖିଲେ ଭାରତ ସରକାର। ବ୍ୟାପକ ହିଂସା ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ କୋଲକାତାରୁ ବାଂଲାଦେଶ ଚଳାଚଳ କରୁଥିବା ସମସ୍ତ ଟ୍ରେନ ସେବାକୁ ସ୍ଥଗିତ ରଖାଯାଇଛି।

ସୂଚନା ଅନୁସାରେ, କୋଲକାତାରୁ ବାଂଲାଦେଶର ରାଜଧାନୀ ଢାକା ଏବଂ ଖୁଲନାକୁ ଯାତ୍ରା କରୁଥିବା ଟ୍ରେନ ଚଳାଚଳ ବନ୍ଦ ରଖାଯାଇଛି। କୋଲକାତା-ଢାକା ଓ କୋଲକାତା-ଖୁଲାନାକୁ ଯାଉଥିବା ମୈତ୍ରୀ ଏକ୍ରପ୍ରେସ୍ ଓ ବନ୍ଧନ ଏକ୍ସପ୍ରେସ୍ ଚଳାଚଳ କରିବ ନାହିଁ ବୋଲି ଭାରତୀୟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।

ଅଗଷ୍ଟ 6 ପର୍ଯ୍ୟନ୍ତ ବାଂଲାଦେଶ କୁ ଟ୍ରେନ୍ ସେବା ସ୍ଥଗିତ ରହିବ। ସେହିପରି ଏୟାର ଇଣ୍ଡିଆ ମଧ୍ୟ ବାଂଲାଦେଶକୁ ବିମାନ ସେବା ବାତିଲ୍ କରିଛି। ଢାକାକୁ ଯାତ୍ରା କରୁଥିବା ସମସ୍ତ ବିମାନକୁ ବାତିଲ କରିଛି ଏୟାର ଇଣ୍ଡିଆ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବାଂଲାଦେଶକୁ ଟ୍ରେନ୍ ଓ ଏୟାର ଇଣ୍ଡିଆର କୌଣସି ବିମାନ ଚଳାଚଳ କରିବ ନାହିଁ।

ପ୍ରକାଶ ଥାଉକି, ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଚାଲିଥିବା ହିଂସା ମଧ୍ୟରେ ଆଜି ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା ଦେବା ପୂର୍ବରୁ ଦେଶ ଛାଡ଼ି ପଳାଇଛନ୍ତି। ଏହି ହିଂସାରେ 300ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ଥିବାବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *