Spread the love

NEET-UG ପରୀକ୍ଷା ବିବାଦ ମଧ୍ୟରେ ସ୍ନାତକୋତ୍ତର ବା PG ପରୀକ୍ଷା ପାଇଁ ଆସିଛି ସୂଚନା। ଚଳିତ ମାସ କିମ୍ବା ଆସନ୍ତା ମାସ ମଧ୍ୟରେ NEET-PG ପରୀକ୍ଷା ହୋଇପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସବୁଠୁ ବଡ଼ କଥା ହେଉଛି କି, ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ପରୀକ୍ଷାର ଦୁଇ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ। NEET-UG ପ୍ରଶ୍ନପତ୍ର ଲିକକୁ ନେଇ ବିବାଦ ଜାରି ରହିଥିବା ବେଳେ ଶିକ୍ଷା ବିଭାଗ ପକ୍ଷରୁ ଏପରି ବଡ଼ ନିଷ୍ପତ୍ତି ନିଆଯାଇଛି।

ବାସ୍ତବରେ ଗତ ମାସ ଅର୍ଥାତ୍ ଜୁନ୍ ୨୩ରେ NEET-PG ପରୀକ୍ଷା ହେବାର ଥିଲା। କିନ୍ତୁ UG ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ପରେ PG ପରୀକ୍ଷାକୁ ସ୍ଥଗିତ ରଖା ଯାଇଥିଲା। ସଦ୍ୟତମ ରିପୋର୍ଟ ଅନୁସାରେ, ଚଳିତ ମାସ କିମ୍ବା ଆସନ୍ତା ମାସ ମଧ୍ୟରେ PG ପରୀକ୍ଷା ଅନୁଷ୍ଠିତ ହେବ।

ପ୍ରକାଶ ଥାଉକି ମେଡିକାଲ ପ୍ରବେଶିକା ପରୀକ୍ଷାକୁ ନେଇ ଏବେବି ବିବାଦ ଲାଗିରହିଛି। ଶିକ୍ଷା କ୍ଷେତ୍ରଠୁ ନେଇ ରାସ୍ତାଘାଟ ଏପରିକି ସଂସଦରେ ମଧ୍ୟ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ଉଷ୍ମ ହେଉଛି। ମେ’ ୫ରେ ଫଳାଫଳ ପ୍ରକାଶ ପାଇବା ପରେ ଏହି ବିବାଦ ମୁଣ୍ଡ ଟେକିଥିଲା। ୬୭ ଜଣ ଛାତ୍ରାଛାତ୍ର ୭୨୦ରୁ ପୂର୍ଣ୍ଣ ମାର୍କ ରଖିବା ଏବଂ କିଛି ନିର୍ଦ୍ଦିଷ୍ଟ ରାଜ୍ୟର ଛାତ୍ରଛାତ୍ରୀ ନିର୍ଦ୍ଦିଷ୍ଟ ଗୋଟିଏ ପରୀକ୍ଷା କେନ୍ଦ୍ର ବାଛିବାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା।

ଏହାପରେ ପରୀକ୍ଷାରେ ବ୍ୟାପକ ଅନିୟମିତତାର ଅଭିଯୋଗ କରି ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ମାମଲାରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *