Spread the love

ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ଠାରୁ ଅଧିକ ବର୍ଷିବ ବୋଲି ପୁଣିଥରେ ଦୋହରାଇଛି ଭାରତୀୟ ପାଣିପାଗ ବିଭାଗ। ଏପ୍ରିଲ ମାସରେ ବିଭାଗ ଯେଉଁ ଆକଳନ କରିଥିଲା ଆଜି ମଧ୍ୟ ଏଥିରେ କାଏମ ରହିଛି।

ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ହେବ। କିନ୍ତୁ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ପୂରା ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ କୃଷି କ୍ଷେତ୍ରରେ ଅଭିବୃଦ୍ଧି ଘଟିବ ବୋଲି ଆଶା ସଞ୍ଚାର ହୋଇଛି। ଶ୍ରୀ ମହାପାତ୍ରଙ୍କ କହିବା କଥା, ଜୁନ ମାସରେ ଭାରତରେ ୯୨ରୁ ୧୦୮% ବର୍ଷା ହୋଇପାରେ। ଅର୍ଥାତ ଜୁନ ମାସରେ ସ୍ୱାଭାବିକ ବର୍ଷା ହେବ। ଜୁଲାଇରୁ ସେପ୍ଟେମ୍ବର ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ।

ବର୍ତ୍ତମାନ ମୌସୁମୀ କେରଳ ଛୁଇଁବା ପାଇଁ ଉପଯୁକ୍ତ ପାଣିପାଗ ରହିଛି। ଆସନ୍ତା ୫ ଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବ। ଦେଶର ଯେଉଁ ସବୁ ସ୍ଥାନରେ ଅଧିକ ମାତ୍ରାରେ କୃଷି କାର୍ଯ୍ୟ କରାଯାଉଛି, ସେଠାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ।

ତେବେ ଉତ୍ତରପୂର୍ବ ଭାରତରେ ମୌସୁମୀ ସ୍ୱାଭାବିକ ଠାରୁ କମ ବର୍ଷିବ। ଉତ୍ତର ପଶ୍ଚିମରେ ସ୍ୱାଭାବି ଓ କେନ୍ଦ୍ରୀୟ ଓ ଦକ୍ଷିଣ ପ୍ରାନ୍ତର ଉପଦ୍ୱୀପ ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ।

ଅନ୍ୟପକ୍ଷରେ ବିଭାଗ କହିଛି ଯେ ଉତ୍ତରପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ଜାରି ରହିଥିବା ହିଟୱେଭରୁ ନିସ୍ତାର ମିଳିବ। ୩ ଦିନ ପରେ ପଶ୍ଚିମା ଝଡ଼ର ପ୍ରଭାବ ଯୋଗୁ ଏଠାରେ ତାପମାତ୍ରା ହ୍ରାସ ପାଇବ। ଅର୍ଥାତ ୩୦ ତାରିଖ ପରେ ଖରାରୁ ନିସ୍ତାର ମିଳିବ।

ଶ୍ରୀ ମହାପାତ୍ର କହିଛନ୍ତି, ରାଜସ୍ଥାନ ଓ ଗୁଜରାଟରେ ଚଳିତ ବର୍ଷ ୯ରୁ ୧୨ ଦିନ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଛି। ତାପାମାତ୍ରା ୪୦ରୁ ୫୦ ଡିଗ୍ରୀ ରେକର୍ଡ କରାଯାଇଥିଲା।

ସେହିପରି ଦିଲ୍ଲୀ, ଦକ୍ଷିଣ ହରିୟାଣା, ଦକ୍ଷିଣ ପଶ୍ଚିମ ୟୁପି ଓ ପଞ୍ଜାବରେ ୫ରୁ ୭ ଦିନ ହିଟୱେଭ ଅନୁଭୂତ ହୋଇଥିଲା। ଏହି ସମୟରେ ସର୍ବୋଚ୍ଚ ତାପମାତ୍ରା ୪୪ରୁ ୪୮ ଡିଗ୍ରୀ ମଧ୍ୟରେ ରହିଥିଲା। ମେ’ ୨୫ ଓ ୨୬ରେ ଆସାମରେ ମଧ୍ୟ ତାପମାତ୍ରା ସବୁ ରେକର୍ଡ ଭାଙ୍ଗି ଥିଲା।

Leave a Reply

Your email address will not be published. Required fields are marked *