ଝଙ୍କଡ଼ : ଓଡିଆ ନବ ବର୍ଷ, ମହାବିଷୁବ ପଣା ସଂକ୍ରାନ୍ତି ଝାମୁଯାତ୍ରା ଉପଲକ୍ଷେ, ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ରବିବାର ଦିନ ପ୍ରତ୍ୟୁଷ ରୁ ପହୁଡ଼ ଖୋଲାଯାଇ ମଙ୍ଗଳ ଆଳତି ପରେ, ମାର୍ଜନା କରାଯାଇ, ଅଭିନବ ବେଶରେ ମାଆଙ୍କୁ ସଜ୍ଜିତ କରାଯିବା ପରେ, ସର୍ବ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ସମର୍ପଣ କରଯାଇଥିଲା । ପରେ ପରେ, ପାର୍ଶ୍ଵ ଦେବଦେବୀଙ୍କର ପୂଜା , ଦଶଦିଗପାଳ ପୂଜା, ଦୈନିକ ପାଞ୍ଜିପାଠ , ସୂର୍ଯ୍ୟପୂଜା, ବାଳଭୋଗ ପୂଜା, ପ୍ରଥମପ୍ରହର ଧୂପ , ସମୂହଚଣ୍ଡୀପାଠ ପରେ ବଡ଼ସିଂହାର କରାଯାଇ, ଷୋଡ଼ଶଉପଚାର ପୂଜା ପରେ, ମାଆଙ୍କ ଚଳନ୍ତି ପ୍ରତିମାଙ୍କୁ ଏକ ସୁସଜ୍ଜିତ ମଣିମୟ ବିମାନ ଆରୋହଣ କରାଯାଇ ବର୍ଣ୍ଣାଢ଼୍ୟ ପଟୁଆର ମଧ୍ୟରେ, ପ୍ରାଚୀନ ପୀଠ ସ୍ଥଳି ବଡ଼ସାରୋଲ ଗ୍ରାମର ଲଣ୍ଡା ଦେଉଳ, ଝାମୁଯାତ୍ରା ପଡ଼ିଆ କୁ ନିଆ ଯାଇଥିଲା। ସମ୍ମୁଖ ଭାଗରେ, ଛତା, ତରାସ, ଆଲଟ, ଚାମର ପଡୁଥାଏ, ଦଶଘଟ କୁ ମୁଣ୍ଡେଇ ଘଟପାଟୁଆ ମାନେ ନାଚି ନାଚି ଚାଲିଥାନ୍ତି , ଘଣ୍ଟ ଘଣ୍ଟା, କାହାଳୀ, ଭେରି, ତୂରୀ, ଢୋଲ ମହୁରୀ, ନାମ ସଙ୍କୀର୍ତ୍ତନ ଓ ହରିବୋଲ ହୁଳହୁଳି ଧ୍ବନିରେ, ଝଙ୍କଡ଼ର ଗାଁ ଦାଣ୍ଡ ପ୍ରକମ୍ପିତ ହୋଇ ଉଠିଥିଲା।

ଝାମୁଯାତ୍ରାରେ ମାଆ ପହଞ୍ଚିବା ପରେ, ପ୍ରଜ୍ବଳିତ ଅଗ୍ନିକୁଣ୍ଡ ମଧ୍ୟରେ ଖାଲି ପାଦରେ ଚାଲି ଚାଲି, ଦେବୀ ଶକ୍ତିର ଅଲୌକିକ ମହାମହିମା ଲୀଳା ପ୍ରଦର୍ଶନ କରିଥିଲେ। ମଧୁ ପାର୍ବଣ ବାସନ୍ତୀ ପୂଜା ଚାଲିଥିବାରୁ, ଝାମୁଯାତ୍ରା କିଛି ବିଳମ୍ବିତ ସମୟ ରେ ଅନୁଷ୍ଠିତ ହେଇଥିଲା। ଜିଲ୍ଲା ପ୍ରଶାସନ ତରଫରୁ ତିର୍ତ୍ତୋଲ ତହସିଲଦାର ସତ୍ୟଜିତ ମହାପାତ୍ର , ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା ଏହି ଝାମୁଯାତ୍ରା ଶୃଙ୍ଖଳିତ ପରିଚାଳନା କରିବା ନିମନ୍ତେ ଏଠାରେ ଉପସ୍ଥିତ ରହିଥିବା ବେଳେ , ଯାନବାହନ ଚଳାଚଳ ଓ ଟ୍ରାଫିକ ନିୟନ୍ତ୍ରଣ ସହିତ ଶ୍ରାଦ୍ଧକୁ ଭକ୍ତମାନଙ୍କ ଶୃଙ୍ଖଳିତ ପାଇଁ , ତିର୍ତ୍ତୋଲ ଏସ ଡି ପି ଓ ଚିନ୍ମୟ ରାଉତ, ତିର୍ତ୍ତୋଲ ଥାନା ଆଇ ଆଇ ସି ଅଭିମନ୍ୟୁ ନାୟକ , କନକପୁର ପୋଲିସ ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ଭୋଳ, ସାରଳାମନ୍ଦିର ପୋଲିସ ଫାଣ୍ଡି ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲ। ତିର୍ତ୍ତୋଲ ସତ୍ୟସାଇ ସେବା ସଂଗଠନ ତରଫରୁ ସ୍ୱେଚ୍ଛାସେବୀ ମାନେ ମନ୍ଦିର ବେଢ଼ାରେ ସ୍ବଚ୍ଛତା ରକ୍ଷା, ପାନୀୟ ଜଳଯୋଗାଣ, ସାରଳା ଯୁବକ ସଙ୍ଘ ଦ୍ବାରା ପ୍ରାସାଦ ସେବନର ବ୍ୟବସ୍ଥା , ସାରଳା ହାଟ ପୋଲ ନିକଟରେ ହନୁମାନଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ସମୂହ ପ୍ରାସାଦ ସେବା ଓ ସଂଧ୍ୟାରେ ଯୁବ ସଙ୍ଗୀତ ନିର୍ଦ୍ଦେଶକ ଅରୁଣ ଜେନା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ, ସ୍ଥାନୀୟ ସମର୍ପଣ ଭଜନସନ୍ଧ୍ୟା ର କଳାକାର ମାନଙ୍କଦ୍ୱାରା ପରିବେଷିତ ଭକ୍ତିସଙ୍ଗୀତ, ମାଆଙ୍କ ପୀଠରେ ଏକ ଅପୂର୍ବ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିବାର ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଉପସ୍ଥିତ ଝଙ୍କଡ଼ ପୀଠ କୁ ଚଳଚଞ୍ଚଳ କରିଦେଇଥିଲା !