Spread the love

ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବୋରଓ୍ୱେଲରେ ଖସି ପଡିଥିବା ବ୍ୟକ୍ତି। ଦିଲ୍ଲୀର କେଶବପୁର ମଣ୍ଡି ଅଞ୍ଚଳରେ ଥିବା ଜଳ ବୋର୍ଡ ୪୦ ଫୁଟ ଗଭୀର ବୋରଓ୍ୱେଲରେ ଖସି ପଡିଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏନେଇ ଖୋଦ୍‌ ସୂଚନା ଦେଇଛନ୍ତି ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆତିଶି ସିଂହ।

ଦୀର୍ଘ ୧୪ ଘଣ୍ଟା ଧରି ରେସ୍କ୍ୟୁ ଅଭିଯାନ ଚଲାଇବା ପରେ ବୋରଓ୍ୱେଲରେ ଖସି ପଡିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ଦିଲ୍ଲୀରୁ ଡିଡୁୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ବୋରୱେଲରେ ପଡ଼ିଯାଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀ ମନ୍ତ୍ରୀ ଆତିଶି ସିଂହ କହିଛନ୍ତି ଯେ ମୋତେ ଅତି ଦୁଃଖର ସହ କହିବାକୁ ପଡୁଛି ଯେ, ଯେଉଁ ବ୍ୟକ୍ତି ବୋରୱେଲରେ ଖସି ପଡ଼ିଥିଲେ, ତାଙ୍କର ମୃତ୍ୟୁ ହୋଇଛି। ଏଥିସହ ସେ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ପ୍ରାଥମିକ ସୂଚନା ଅନୁଯାୟୀ ମୃତ ବ୍ୟକ୍ତିଙ୍କ ବୟସ ପାଖାପଖି ୩୦ ବର୍ଷ ହେବ। ତେବେ ସେ କିପରୁ ଏହି ବୋରଓ୍ୱେଲ ରୁମ୍‌କୁ ପଶିଲେ ଏଠାରେ କିଭଳି ଖସିପଡିଲେ ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ତେବେ ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣକ ରାତି ଅଧରେ ଜଳ ବୋର୍ଡ ଭିତରକୁ ଚୋରି କରିବା ଉଦ୍ଦେଶ୍ୟରେ ଆସି ଖସି ପଡିଥିବା କୁହାଯାଉଛି।

କେଶବପୁରରେ ଜଳ ବୋର୍ଡ ଭିତରେ ଥିବା ଏକ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ ତିଆରି ବୋରୱେଲଟି ଏକ ରୁମ୍‌ ଭିତରେ ଥିଲା। ଏହି ରୁମ୍‌କୁ ତାଲା ପକାଯାଇଥିଲା। ତେବେ ବ୍ୟକ୍ତି ଜଣକ ଏହି ରୁମ୍‌ ଭିତରକୁ ପଶି ଆସି ଉକ୍ତ ୪୦ ଫୁଟ ଗଭୀର ବୋରଓ୍ୱେଲରେ ଖସିପଡିଥିଲେ। ଏହପରେ ତାଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ, ଅଗ୍ନିଶମ ବାହିନୀ ଓ ଏନ୍‌ଡିଆର୍‌ଏଫ୍ ଟିମ୍‌ ଲାଗି ପଡିଥିଲେ।

Leave a Reply

Your email address will not be published. Required fields are marked *