Spread the love

 

Puri_1707050325

ପୁରୀ: ଅର୍ପଣ ରଥରୁ ସଂଗୃହୀତ ଚାଉଳରେ ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହୋଇଛି। ମହାପ୍ରଭୁଙ୍କଠାରେ ଲାଗି ହେବା ପରେ ଏହି ଖେଚୁଡ଼ିକୁ ଭକ୍ତମାନଙ୍କୁ ବଂଟାଯାଉଛି। ଶହେଟି କୁଡୁଆରେ ପ୍ରସାଦ ପ୍ରସ୍ତୁତ କରାଯାଇଛି। ଆଜି ଅପରାହ୍‌ଣ ଠାରୁ ରାତି ୮ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଏହି ଖେଚୁଡି ବଂଟା ଯାଉଛି। ଶ୍ରୀମନ୍ଦିରର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଦର୍ଶନ ସାରି ଫେରୁଥିବା ଭକ୍ତଙ୍କୁ ଏହି ପ୍ରସାଦ ଦିଆଯାଉଛି। ଭକ୍ତମାନେ ଅତି ଆନନ୍ଦର ସହ ଏହି ପ୍ରସାଦକୁ ନେଇ ସେବନ କରୁଛନ୍ତି। ଆଜି ପ୍ରଥମ ଦିନରେ ଗଂଜାମରୁ ଆସିଥିବା ଅର୍ପଣ ଚାଉଳରେ ଖେଚୁଡ଼ି ପ୍ରସ୍ତୁତ କରାଯାଇଛି। ପ୍ରତିଦିନ ପ୍ରାୟ ୧୦ ହଜାର ଲୋକଙ୍କୁ ମାଗଣା ପ୍ରସାଦ ବାଂଟିବା ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ଜାନୁଆରିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଓଡିଶାର ପୁରପଲ୍ଲୀର ଶ୍ରୀଜଗନ୍ନାଥ ଅର୍ପଣ ରଥ ବୁଲିଥିଲା। ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମହାଯଜ୍ଞ ପାଇଁ ଅର୍ପଣ କରିଥିଲେ ଚାଉଳ, ନଡିଆ ଓ ଗୁଆ। ସେହି ଅର୍ପଣ ଦ୍ରବ୍ୟକୁ ମହାପ୍ରଭୁଙ୍କ ପାଖରେ ମହାପ୍ରସାଦ ରୂପେ ଆଜି ବ୍ୟବହାର ହୋଇଛି। ତାହା ଆମ ସମସ୍ତଙ୍କ ସୌଭାଗ୍ୟର ବିଷୟ ବୋଲି କହିଛନ୍ତି ଜଗନ୍ନାଥ ପ୍ରେମୀ ଓ ଭକ୍ତମାନେ। ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରାୟ ଏକ ଶହ ଖେଚୁଡ଼ି ଓ କାନିକା ହାଣ୍ଡି ପ୍ରସ୍ତୁତ ହୋଇ ଭକ୍ତଙ୍କ ମଧ୍ୟରେ ବଣ୍ଟାଯିବାର ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ନିଯୋଗ ସମ୍ପାଦକ।

 

Leave a Reply

Your email address will not be published. Required fields are marked *