
ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ, ଯିଏ କି ସଂକ୍ଷେପରେ ଏମବିଜେଡ୍ ଭାବେ ଜଣାଶୁଣା, ମାଞ୍ଚେଷ୍ଟର ସିଟି ଫୁଟବଲ କ୍ଲବର ମାଲିକ ଏବଂ ପ୍ରମୁଖ ଅଟୋମୋବାଇଲ କମ୍ପାନିରେ ଅଂଶଧନ ରଖିଛନ୍ତି। ୟାହୁ ଫାଇନାନ୍ସ ରିପୋର୍ଟ ଅନୁଯାୟୀ, ପରିବାରର ଅନ୍ୟ ଜଣେ ସଦସ୍ୟ ଶେଖ୍ ହମାଦ ବିନ୍ ହମଦାନ ଅଲ୍ ନାହ୍ୟାନଙ୍କ ୟୁଏଇ ଓ ମରକ୍କୋ ସଂଗ୍ରହାଳୟରେ ୭୦୦ରୁ ଅଧିକ କାର୍ ଅଛି। ଏଥିରେ ବିଶ୍ୱର ସବୁଠାରୁ ବଡ଼ ଏସ୍ୟୁଭି ଏବଂ ଏକ ୱିଲିସ ଜିପ୍ ଅନ୍ତର୍ଭୁକ୍ତ। ବିଶ୍ୱର ସବୁଠାରୁ ଧନୀ ପରିବାର ପାଖରେ ବିଶ୍ୱର କେତେକ ବୃହତ୍ତମ ବିଳାସପୂର୍ଣ୍ଣ ନୌକା ମଧ୍ୟ ଅଛି, ଯାହା ଏହି ପ୍ରକ୍ରିୟାରେ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସଙ୍କୁ ମଧ୍ୟ ପଛରେ ପକାଇ ଦେଇଛି। ୟୁଏଇର ଜାତୀୟ ନିରାପତ୍ତା ପରାମର୍ଶଦାତା ତହନୁନ୍ ବିନ୍ ଜାଏଦ ଅଲ୍ ନାହ୍ୟାନ ଓରଫ ଶେଖ୍ ତହନୁନ୍ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନିର ମୁଖ୍ୟ, ଯାହାର ମୂଲ୍ୟ ଗତ ପାଞ୍ଚବର୍ଷ ମଧ୍ୟରେ ପ୍ରାୟ ୨୮,୦୦୦ ପ୍ରତିଶତ ବୃଦ୍ଧି ପାଇଛି ବୋଲି ବ୍ଲୁମ୍ବର୍ଗ ରିପୋର୍ଟ କରିଛି।
ଅଲ୍ ନାହ୍ୟାନ ପରିବାରର ଅନେକ ଚମତ୍କାର ମହଲ ରହିଥିବା ବେଳେ ଆବୁଧାବିରେ ୪୭୫ ନିୟୁତ ଡଲାର (୪୦୭୮ କୋଟି ଟଙ୍କା)ର ୩,୮୦,୦୦୦ ବର୍ଗମିଟର ପରିମିତ ରାଷ୍ଟ୍ରପତି ଭବନ ‘କାଜର ଅଲ୍-ୱତନ୍’ ରହିଛି। ବିଶ୍ୱର ସବୁଠାରୁ ଧନୀ ପରିବାରର ଅନ୍ୟାନ୍ୟ ମହଲ ଅଛି, ଯେଉଁଥିରେ ପ୍ୟାରିସର ଉତ୍ତରରେ ଥିବା ‘ଚାଟୋ ଡି ବେଲନ’ ଅନ୍ତର୍ଭୁକ୍ତ। ଇଂଲଣ୍ଡରେ ସେମାନଙ୍କର ଅନେକ ସମ୍ପତ୍ତି ମଧ୍ୟ ରହିଛି, ଇଂଲଣ୍ଡର କିଛି ପ୍ରମୁଖ ଅଞ୍ଚଳରେ ଥିବା ତାଙ୍କ ସମ୍ପତ୍ତି ପାଇଁ ପୂର୍ବତନ ପରିବାର ମୁଖ୍ୟ ଶେଖ୍ ଖଲିଫା ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କୁ ‘ଲଣ୍ଡନର ଜମିଦାର’ ବୋଲି କୁହାଯାଏ। ୨୦୧୫ରେ ଅଲ୍ ନାହ୍ୟାନଙ୍କ ସମ୍ପତ୍ତି ବ୍ରିଟିସ ରାଜପରିବାରର ଲଣ୍ଡନ ସମ୍ପତ୍ତିକୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଆବୁଧାବି ରାଜପରିବାରର ୮ଟି ଘରୋଇ ବିମାନ ରହିଛି, ଯେଉଁଥିରେ ଏୟାରବସ୍ ଏ୩୨୦-୨୦୦ ଏବଂ ୩ଟି ବୋଇଂ ୭୮୭-୯ ବିମାନ ଅନ୍ତର୍ଭୁକ୍ତ।