
୧୭ ତାରିଖ ପ୍ରକଳ୍ପ ଲୋକାର୍ପଣ ଦିନ ଯେତିକି ପାଖେଇ ଆସୁଛି, ପୁରୀରେ ସେତିକି ବଢୁଛି ଉତ୍ସବର ମାହୋଲ । କେମିତି ଦେଖାଯିବ ସ୍ବପ୍ନର ଶ୍ରୀକ୍ଷେତ୍ର, ସେଥିପାଇଁ ଭକ୍ତଙ୍କ ଭିତରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଶେଷ ସ୍ପର୍ଶ ନେବାକୁ ଯାଉଥିବା ବେଳେ ଏହାକୁ ଦେଖିବା ପାଇଁ ଏବେଠାରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମୁଛି ।
ଦେଶର ୬୦ ଓ ରାଜ୍ୟର ୩୦ଟି ସ୍ଥାନରୁ ଆସିଥିବା ଅତିଥି ଲୋକାର୍ପଣରେ ଯୋଗଦେବେ । ସାରା ପୁରୀ ସହରକୁ ଆଧ୍ୟାତ୍ମିକ ରୂପ ଦିଆଯାଇଛି । ନବବଧୂ ବେଶରେ ସଜେଇ ହେଉଛି ଶ୍ରୀକ୍ଷେତ୍ର । ଜୋରସୋରରେ ଚାଲିଛି ସାଜସଜ୍ଜା । ସନ୍ଧ୍ୟା ହେବା କ୍ଷଣି ସୁନ୍ଦର ଆଲୋକମାଳାରେ ଝଲସି ଉଠୁଛି ପୁରୀ ସହର । ଜଗନ୍ନାଥଙ୍କ ନଗରୀ ଶ୍ରୀକ୍ଷେତ୍ର ପୁରୀକୁ ଆହୁରି ସରସ ସୁନ୍ଦର କରିବା ଲାଗି ବ୍ୟାପକ ଆୟୋଜନ କରାଯାଉଛି ।