
ବାଲେଶ୍ଵରକୁ ମୁଖ୍ୟମନ୍ତ୍ରୀ ବେଶ୍ ଭଲ ପାଆନ୍ତି ବୋଲି କହିବା ସହ ତାଙ୍କୁ ଷଷ୍ଠ ଥର ପାଇଁ ସହଯୋଗ କରିବାକୁ ଶ୍ରୀ ପାଣ୍ଡିଆନ ନିବେଦନ କରିଥିଲେ। ଜିଲ୍ଲାରେ ସମସ୍ତ ବିଜୁ ପରିବାର ସଦସ୍ୟଙ୍କୁ ସାଧୁବାଦ୍ ଜ୍ଞାପନ କରିବା ସହ ଜିଲ୍ଲାରେ ବିଜେଡିର ଜିତାପଟ ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ। ପ୍ରତି ବୁଥସ୍ତରରୁ ଭୋଟ ସମୀକ୍ଷା କରି ଜିଲ୍ଲାରୁ ଅତିକମରେ ପୂର୍ବ ତୁଳନାରେ ୫% ଅଧିକ ଭୋଟ ହାତେଇବାକୁ ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗ ଲୋଡ଼ିଥିଲେ। ବିଶେଷ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ବାଦ ପଡ଼ିଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ନିମନ୍ତେ ବୀମା ସୁବିଧା ମୁଖ୍ୟମନ୍ତ୍ରୀ କରିଛନ୍ତି ଓ ଘରକୁ ଘର ଯାଇ କର୍ମୀମାନେ ଆଜି ଠାରୁ ୧୦ ଦିନ ମଧ୍ୟରେ ପଞ୍ଜିକରଣ କରିବାକୁ କହିଥିଲେ। ଏଥି ସହ ଆସନ୍ତା ଫେବ୍ରୁଆରି ମାସ ସୁଦ୍ଧା ଜିଲ୍ଲାରେ ଲକ୍ଷ୍ମୀ ବସ ଗଡ଼ିବ ବୋଲି ସୂଚନା ଦେଇ ମାତ୍ର ୫ ଟଙ୍କାରେ ମହିଳା ଓ ଛାତ୍ରଛାତ୍ରୀ ଗାଁରୁ ଆସିପାରିବେ।
ଦିନକୁ ୩ଥର ପଞ୍ଚାୟତକୁ ବସ ଚାଲିବାର ଯୋଜନା ରହିଥିବା ସେ ସୂଚନା ଦେଇଥିଲେ। ଏଥିସହ ଏମବିକେ, ସିଆରପି, କୃଷକ ସାଥୀ, ସ୍ୱଚ୍ଛସାଥୀ, ବ୍ୟାଙ୍କ୍ ମିତ୍ର, ଅଙ୍ଗନବାଡ଼ି, ଆଶାକର୍ମୀ ସମସ୍ତେ ମାତ୍ର ଅଳ୍ପଦିନ ମଧ୍ୟରେ ଖୁସି ଖବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ପାଇବେ ବୋଲି ଶ୍ରୀ ପାଣ୍ଡିଆନ ଘୋଷଣା କରିଥିଲେ। ବିଶେଷ କରି ଭତ୍ତା ବୃଦ୍ଧି ଉପରେ ସେ ସ୍ଵତନ୍ତ୍ର ଭାବେ ସୂଚନା ଦେଇ ଜିଲ୍ଲାକୁ ୧ନମ୍ବର ପାଇଁ ଆଉଥରେ ଆହ୍ବାନ ଦେଇଥିଲେ। ପରେ ଲୋକଙ୍କ ଅଭିଯୋଗ ଗ୍ରହଣ କରି ଖୁବଶୀଘ୍ର ସୁଫଳ ମିଳିବାର ପ୍ରତିଶ୍ରୁତି ଦେଇଥିଲେ। ପ୍ରାରମ୍ଭରେ ବାଲେଶ୍ଵର ବିଧାୟକ ସ୍ୱରୂପ ଦାସ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ବିଶେଷ ଦୃଷ୍ଟି ଦେଇ ସ୍ୱତନ୍ତ୍ର ଅନୁଦାନ ଦେବା ଉପରେ ସମ୍ୟକ୍ ଧାରଣା ଦେଇଥିଲେ। କାର୍ଯ୍ୟକ୍ରମରେ ୨୦ହଜାର ଲୋକଙ୍କ ସମାଗମ ପାଇଁ ସହର ରାସ୍ତା ୨ଘଣ୍ଟା ଜାମ ଲାଗି ରହିଥିଲା।