
ଏହି ଘଟଣା ଘଟିବା ବେଳେ ସେଠାରେ ଉପସ୍ଥିତ ଥିବା ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଆମେ ଅନୁଭବ କରୁଛୁ ଯେ ବିଜୁ ଜନତା ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟକୁ ସହିପାରୁ ନାହିଁ। ଏହି ଘଟଣା ଘଟିବା ବେଳେ ଶହ ଶହ ମହିଳା ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଥିଲା। ଆଶା ଓ ସିଆର୍ପିମାନେ ଉପସ୍ଥିତ ଥିଲେ। ସାଧାରଣ ଲୋକେ ଉପସ୍ଥିତ ରହି ପଞ୍ଜିକରଣ କରୁଥିଲେ। ସେମାନଙ୍କ ମଧ୍ୟରୁ କେଉଁମାନେ ଘର ପାଇନାହାନ୍ତି ତ କେଉଁମାନେ ଶୌଚାଳୟ ପାଇନାହାନ୍ତି। ଏ କଥାକୁ ବୋଧେ ବିଜୁ ଜନତା ଦଳ ସହି ପାରୁ ନାହିଁ। ତେଣୁ ସବୁ ବିଭାଗର ଅଧିକାରୀ ଉପସ୍ଥିତ ଥାଇ ଏକ ସରକାରୀ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଭଳି ଏକ କାଣ୍ଡ ଘଟି ଯାଇଛି, ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଏହା ଦଳୀୟ କାର୍ଯ୍ୟକ୍ରମ ନଥିଲା। ଏହା ସରକାରୀ କାର୍ଯ୍ୟକ୍ରମ ଥିଲା। ଯଦି କିଛି ବଡ଼ ଅଘଟଣ ଘଟିଥା’ନ୍ତା ବା ରକ୍ତପାତ ହୋଇଥା’ନ୍ତା, ତା’ହେଲେ ଏଥିପାଇଁ କ’ଣ ରାଜ୍ୟ ସରକାର ଦାୟୀ ରହିଥା’ନ୍ତେ ବୋଲି ସେ ପ୍ରଶ୍ନ କରିଛନ୍ତି।
ବିଧାୟକ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ୪ରୁ ୫ ଜଣ ବ୍ୟକ୍ତି ଆସିଥିଲେ। ସେମାନଙ୍କ ଆଚରଣ ଓ ଉଚାରଣ ଯେମିତି ଥିଲା, ହୁଏତ ବ୍ୟକ୍ତିଗତ ସୁରକ୍ଷା କର୍ମଚାରୀ ନଥିଲେ ସେମାନେ ତାଙ୍କୁ ବି ଆକ୍ରମଣ କରିବାକୁ ପଛାଇ ନଥା’ନ୍ତେ। ତେବେ ଏଥିପାଇଁ ସେ ବିଚଳିତ ନୁହନ୍ତି। ଭାରତ ସରକାର ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ବିଭିନ୍ନ ଯୋଜନାର ସୁବିଧା ପହଞ୍ଚାଉଥିବା ବେଳେ ବିଜୁ ଜନତା ଦଳ ଏହାକୁ ସହି ପାରୁ ନାହିଁ। ଲୋକେ ସରକାରୀ ଯୋଜନାରୁ ଲାଭ ପାଆନ୍ତୁ ବୋଲି ବିଜେଡି ଚାହୁଁ ନାହିଁ। ଏହା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ। ଯୋଜନା ବଦ୍ଧ ଭାବେ ବିକଶିତ ଭାରତ ସଂକଳ୍ପ ରଥକୁ ଭଙ୍ଗାରୁଜା କରାଯାଇଛି ବୋଲି ଅନୁଭବ ହେଉଛି। ଏହା ସେମାନଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ବୋଲି ଜଣାପଡ଼ୁଛି।
ଭାରତ ସଂକଳ୍ପ ରଥକୁ ଭଙ୍ଗାରୁଜା କରିବା ଘଟଣାରେ ବିଜେପି ପକ୍ଷରୁ ଧାମନଗର ଥାନା ଘେରାଉ କରାଯାଇଛି। ଥାନା ସମ୍ମୁଖ ରାସ୍ତାକୁ ଅବରୋଧ କରି ବସିଛନ୍ତି ବିଜେପି କର୍ମୀ।