
କିନ୍ତୁ ଏହାକୁ ଏବେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରଙ୍କ ନିଯୁକ୍ତି ପାଇଁ ଗୋଟିଏ ନିରପେକ୍ଷ ଓ ସ୍ୱଚ୍ଛ ବ୍ୟବସ୍ଥା ଆପଣାଇବା ପାଇଁ ଦାବି କରାଯାଇଛି।
ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଉପସ୍ଥାପିତ କରି ଆବେଦନକାରୀ କହିଛନ୍ତି ଯେ ସର୍ବୋଚ୍ଚ ଅଦାଲତ ଏ ଦିଗରେ ଦୃଷ୍ଟି ଦିଅନ୍ତୁ। ଗୋଟିଏ ନିରପେକ୍ଷ ଓ ସ୍ୱାଧୀନ ଚୟନ କମିଟି ଗଠନ କରି ସିଇସିଙ୍କ ନିଯୁକ୍ତି ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନରେ କୁହାଯାଇଛି।
୨୦୨୩ ଡିସେମ୍ବର ୨୮ରେ ନିଯୁକ୍ତି ନେଇ ପ୍ରକାଶ ପାଇଥିବା ସରକାରୀ ବିଜ୍ଞପ୍ତି ଉପରେ ରୋକ ଲଗାଇବାକୁ ମଧ୍ୟ ଆବେଦନ କରାଯାଇଛି। ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ରାୟକୁ ବାଇପାସ କରିବା ପାଇଁ ସଂସଦ କିମ୍ବା ରାଜ୍ୟ ବିଧାନସଭା କୌଣସି ଗ୍ୟାଜେଟ ବିଜ୍ଞପ୍ତି କିମ୍ବା ଅଧ୍ୟାଦେଶ ଆଣିପାରିବେ କି?
ଏହା ହିଁ ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ। ଏହାର ବିଚାର ସମ୍ବିଧାନ ଅନୁସାରେ ସୁପ୍ରିମକୋର୍ଟ କରନ୍ତୁ। ଏଥିସହ ନିର୍ବାଚନ କମିଶନଙ୍କ ନିଯୁକ୍ତି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ କହିଛନ୍ତି।
ବିଲ୍ରେ ବ୍ୟବସ୍ଥା କରାଯାଇଛି ଯେ ଦେଶର ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରଙ୍କୁ କେନ୍ଦ୍ର ସରକାର ନିଜ ଇଚ୍ଛାରେ ନିଯୁକ୍ତି ଦେବେ। କାରଣ ନିର୍ବାଚନ କମିଶନର ଚୟନ ପାଇଁ ଗଠିତ କମିଟିରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିବେ ନାହିଁ। ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା (ଲୋକସଭା) ଓ ଜଣେ କ୍ୟାବିନେଟ ମନ୍ତ୍ରୀ ହିଁ ମୁଖ୍ୟ ନିର୍ବାଚନ କମିଶନ ଓ ଅନ୍ୟ କମିଶନରମାନଙ୍କୁ ଚୟନ କରିବେ।
ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରମାନଙ୍କୁ ଚୟନ ପାଇଁ ଗଠିତ କମିଟି ୩ ସଦସ୍ୟ ବିଶିଷ୍ଟ ହୋଇଥାଏ। ଏହି କମିଟିରେ ଦେଶର ପ୍ରଧାନମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସଦସ୍ୟ ରହିଛନ୍ତି। ହେଲେ ସିଜେଆଇଙ୍କ ବଦଳରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ କମିଟିରେ ରଖିବାକୁ ବିଲ୍ରେ ବ୍ୟବସ୍ଥା କରାଯାଇଛି।
ଗତ ମାର୍ଚ୍ଚରେ ସୁପ୍ରିମକୋର୍ଟର ଏକ ୫ ଜଣିଆ ଖଣ୍ଡପୀଠ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସହ ଜଡ଼ିତ ମାମଲାର ଶୁଣାଣି କରିଥିଲେ। ଏହାପରେ ମୁଖ୍ୟ ନିର୍ବାଚନ ଆୟୋଗ ଓ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଦ୍ୱାରା ଗଠିତ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ରାୟ ଶୁଣାଇଥିଲେ। ମାତ୍ର କେନ୍ଦ୍ର ସରକାର ବିଲ୍ ଜରିଆରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାତ ଦେବାକୁ ଚେଷ୍ଟା କରିଛନ୍ତି।