
ରାଜ୍ୟ ସରକାର ନଗର ଉନ୍ନୟନ ବିଭାଗରେ ୩୬୫ଟି ଜୁନିଅର ଇଞ୍ଜିନିୟର ପଦବି ସୃଷ୍ଟି କରିଛନ୍ତି। ପବ୍ଲିକ ହେଲ୍ଥ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆକୁ ୫ ଏକର ଜମି ଅନୁମୋଦନ ଦେଇଛନ୍ତି। ସେହିପରି ୨ଶହ ଇଲେକ୍ଟ୍ରି ବସ୍ ଚଳାଇବାକୁ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ବସ୍ଗୁଡ଼ିକ ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ସେବା ଯୋଗାଇବ। ସହରାଂଚଳରେ ଏଲଇଡି ଲାଇଟ୍ ପାଇଁ ୧୧୨ କୋଟି ୧୮ ଲକ୍ଷ ଟଙ୍କା ଅନୁମୋଦନ ଦେଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ମୁଖ୍ୟ ଶାସନ ସଚିବ କହିଛନ୍ତି, ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ସାମିଲ କରାଯିବ। ଜାନୁଆରି ୫ରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୩୧୪ଟି ବ୍ଲକର ସବୁ ପଞ୍ଚାୟତରେ ଘରକୁ ଘର ଯାଇ ଗୁଆ ଚାଉଳ ସଂଗ୍ରହ କରିବା ସହ ଜଗନ୍ନାଥ ରଥ ବୁଲିବ। ପ୍ରତ୍ୟେକ ପଞ୍ଚାୟତରୁ ସଂଗୃହୀତ ହେଲା ପରେ ବ୍ଲକର ଏକ ମନ୍ଦିରରେ ରଖାଯିବ। ପ୍ରତ୍ୟେକ ପଞ୍ଚାୟତରୁ ଲୋକେ ପୁରୀ ଆସିବେ ଓ ପରିକ୍ରମା ପ୍ରକଳ୍ପରେ ସାମିଲ ହେବେ। ପଞ୍ଚାୟତରେ ଏଲ୍ଇଡି ମାଧ୍ୟମରେ ପରିକ୍ରମା ପ୍ରକଳ୍ପର ଟେଲିକାଷ୍ଟ କରାଯିବ। ଏଥିରେ ୧୫୬ କୋଟି ଟଙ୍କା ବ୍ୟୟ ହେବ। ୧୭ ତାରିଖ ପରେ ପ୍ରତ୍ୟେକ ବ୍ଲକରୁ ବଛାବଛା ଲୋକଙ୍କୁ ପୁରୀ ଆଣି ଜଗନ୍ନାଥ ଦର୍ଶନ ସହ ପରିକ୍ରମା ପ୍ରକଳ୍ପ ଦେଖାଯିବ।
ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳରେ ସଚେତନତା କରିବା ପାଇଁ କାର୍ଯ୍ୟକ୍ରମ ହେବ। ୬୭୯୪ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିବ। ପଞ୍ଚାୟତରେ ବୈଠକ ହେବ। ସମସ୍ତ ଅଧିକାରୀ ଓ ଜନସାଧାରଣ ଯୋଗଦେବେ। ଭିଡିଓ ଫିଲ୍ମ ଦେଖାଯିବ। ଅଞ୍ଚଳରେ ଭଲ କାମ କରିଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ। ପଞ୍ଚାୟତର ସାମଗ୍ରିକ ବିକାଶର ଫିଲ୍ମ ତିଆରି ହେବ। ପ୍ରତ୍ୟେକ ପଞ୍ଚାୟତକୁ ୩ ଲକ୍ଷ ଟଙ୍କା ଦିଆଯିବ। ଏଥି ପାଇଁ ୨୦୪ କୋଟି ଟଙ୍କାଖର୍ଚ୍ଚ ହେବ।