Spread the love

 

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ କେବଳ ଯେ, ବାଇକ୍‌ ଲୁଟେରା ମାତିଛନ୍ତି ତାହା ନୁହେଁ, ଏଠି ଟେକି ଭଙ୍ଗା ଚୋର ବି ମୁଣ୍ଡ ଟେକିଲେଣି। ଆଖି ପିଛୁଳାକେ ଗାଡି ଡିକି ଭାଙ୍ଗି ଟଙ୍କା ବି ଲୁଟିବା ଆରମ୍ଭ କଲେଣି। ବୁଧବାର ମଧ୍ୟାହ୍ନରେ ଖୋର୍ଦ୍ଧା ସହରରେ ଘଟିଥିବା ଏ ଘଟଣା ଏହା ସୂଚାଇ ଦେଉଛି। ଜଣେ ଅବସରପ୍ରାପ୍ତ ସିଆର୍‌ପିଏଫ୍‌ ଯବାନ ଲୁଟେରାଙ୍କ ହାବୁଡ଼ରେ ପଡ଼ି ଏକ ଲକ୍ଷ ୬୦ହଜାର ଟଙ୍କା ହରାଇଛନ୍ତି।
ସୂଚନା ମୁତାବକ, ଯବାନଙ୍କ ଘର ହେଉଛି ଖୋର୍ଦ୍ଧା ବ୍ଲକ୍‌ କାଇପଦର ଗାଁରେ। ବୁଧବାର ମଧ୍ୟାହ୍ନରେ ଟଙ୍କା ଉଠାଣ କରିବାକୁ ସେ ଖୋର୍ଦ୍ଧା ଷ୍ଟେଟ୍‌ ବ୍ୟାଙ୍କ୍‌ର ମୁଖ୍ୟ ଶାଖାକୁ ଆସିଥିଲେ। ବ୍ୟାଙ୍କ୍‌ରୁ ମୋଟ୍ ଏକ ଲକ୍ଷ ୬୦ହଜାର ଟଙ୍କା ଉଠାଣ କରିଥିଲେ। ନଗଦ ଟଙ୍କା ସବୁ ନିଜ ସ୍କୁଟି ଡିକିରେ ରଖିଥିଲେ।

ଅବସରପ୍ରାପ୍ତ ଯବାନଙ୍କ ବ୍ୟାଙ୍କ୍‌ରୁ ଟଙ୍କା ନେଇ ଯାଇଥିଲେ ମାଛ କିଣିବାକୁ। କଣ୍ଟା ଛକଠାରେ ନିଜର ସ୍କୁଟି ରଖି ମାଛ କିଣୁଥିବା ବେଳେ ଦୁର୍ବୃତ୍ତ ତାଙ୍କ ଗାଡିର ଡିକି ଖୋଲି ସବୁ ଟଙ୍କା ନେଇ ପଳାଇଛନ୍ତି। ତା’ ସହିତ ପୋଷ୍ଟ ଅଫିସ୍‌, ଷ୍ଟେଟ୍ ବ୍ୟାଙ୍କ୍‌ର ଖାତା ବି ଚୋରି ହୋଇଛି। ମାଛ କିଣି ସାରିଲା ପରେ ଅବସରପ୍ରାପ୍ତ ଜବାନ ଜଣକ ଘଟଣା ସମ୍ପର୍କରେ ଜାଣି ପୁଲିସକୁ ସୂଚନା ଦେଇଛନ୍ତି।

 

Leave a Reply

Your email address will not be published. Required fields are marked *