Spread the love

 

Murder_1703492232

ଅଧା ରହିଗଲା ୨୬ତମ ଜନ୍ମ ଦିନ। ଜନ୍ମଦିନର କ୍ୟାଣ୍ଡେଲ ନ ଲିଭୁଣୁ ଲିଭିଗଲା ଜୀବନ ଦୀପ। ପ୍ରେମିକ ହିଁ ସାଜିଲା ପ୍ରେମିକାର ହତ୍ୟାକାରୀ। ଯାହାକୁ ବିବାହ କରିବାକୁ ଲିଙ୍ଗ ବଦଳାଇଥିଲେ ତାକୁ ହିଁ କଲେ ହତ୍ୟା। ପ୍ରଥମେ ବେକୁ ଚେନ୍‌ରେ ବାନ୍ଧିଲା ଓ ପରେ ଜୀଅନ୍ତା ଜାଳି ଦେଲେ। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ତାମିଲନାଡୁର ଚେନ୍ନାଇରେ। ଏହି ହତ୍ୟାକାଣ୍ଡରେ ମାମଲାରେ ପୁଲିସ ଏମ୍‌ବିଏ ଗ୍ରାଜୁଏଟ୍ ଛାତ୍ରଙ୍କୁ ଗିରଫ କରିଛି।

ଶନିବାର ଦିନ ଚେନ୍ନାଇର ଦକ୍ଷିଣ ଉପନଗରୀ ଅନ୍ତର୍ଗତ ତଲାମ୍ବପୁରରେ ଘଟିଛି ଏହି ଘଟଣା। ସେଦିନ ଥିଲା ସେ ଇଞ୍ଜିନିୟର୍‌ ଯୁବତୀ ନନ୍ଦିନୀଙ୍କର ୨୬ତମ ଜନ୍ମଦିନ। ଆଉ ତାଙ୍କୁ ପୋଡ଼ି ମାରିଥିବା ସାଥୀଜଣକ ହେଉଛନ୍ତି ତାଙ୍କୁ ବାହା କରିବା ପାଇଁ ଲିଙ୍ଗ ପରିବର୍ତ୍ତନ କରିଥିବା ତାଙ୍କ ସ୍କୁଲ୍‌ ବେଳର ବାନ୍ଧବୀ। ଇଞ୍ଜିନିୟର୍‌ ଆର୍‌. ନନ୍ଦୀନିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଏମ୍‌ବିଏ ସ୍ନାତକ ବେତ୍ତିମାରନ୍‌ଙ୍କୁ ପୁଲିସ ଗିରଫ କରିଛି। ଲିଙ୍ଗ ପରିବର୍ତ୍ତନ ପୂର୍ବରୁ ବେତ୍ତିମାରାନ୍‌ଙ୍କ ନାଁ ଥିଲା ପଣ୍ଡି ମୁରୁଗେଶ୍ୱରୀ।

ତାମିଲନାଡୁ ଚେନ୍ନାଇର ୨୬ ବର୍ଷୀୟ ଆର୍‌ ନନ୍ଦିନୀ ଓ ବେତ୍ତିମରାନ୍‌। ଏ ଦୁହେଁ ଥିଲେ ସ୍କୁଲ ବେଳର ସାଙ୍ଗ। ଉଭୟ ଗୋଟିଏ ଗାର୍ଲ ସ୍କୁଲରେ ଏକାଠି ହୋଇ ପାଠ ପଢ଼ୁଥିଲେ। କିନ୍ତୁ ଧୀରେ ଧୀରେ ବେତ୍ତି ମରାନ୍‌ ନନ୍ଦିନୀଙ୍କ ପ୍ରେମରେ ପଡିଥିଲେ। ଏପରିକି ନନ୍ଦିନୀଙ୍କୁ ବିବାହ କରିବା ପାଇଁ ସେ ନିଜ ଲିଙ୍ଗ ମଧ୍ୟ ବଦଳାଇ ଥିଲେ। ଲିଙ୍ଗ ପରିବର୍ତ୍ତନ କରିବା ପରେ ବେତ୍ତିମାରନ୍‌ ଦୈହିକ ସମ୍ପର୍କ ଲାଗି ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ନନ୍ଦିନୀ ରାଜି ହୋଇନଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କିନ୍ତୁ, ଦୁହେଁ ପରସ୍ପର ସହିତ ଯୋଗଯୋଗରେ ଥିଲେ।

ଆଇଟିରେ ‘ବିଏସ୍‌ସି’ ଡିଗ୍ରି ହାସଲ କରିବା ପରେ ନନ୍ଦିନୀ ୮ ମାସ ତଳେ ଚେନ୍ନାଇରେ ଚାକିରି ପାଇ ମାମୁଙ୍କ ପାଖରେ ରହୁଥିଲେ। ଶନିବାର ଦିନ ବେତ୍ତିମାରନ୍‌ ନନ୍ଦୀନିଙ୍କୁ ଫୋନ୍‌ କରି ଡକାଇଥିଲେ। ଏହାପରେ ନନ୍ଦିନୀଙ୍କ ପାଇଁ ସେ ନୂଆ ଡ୍ରେସ୍‌ କିଣି ଦେଇଥିଲେ। ଏହାପରେ ବେତ୍ତିମାରନ୍‌ ନନ୍ଦିନୀଙ୍କୁ ବାଇକ୍‌ରେ ବସାଇ ଘରେ ଛାଡିଦେବାକୁ କହିଥିଲେ।

ତେବେ ଘରକୁ ଯିବା ବାଟରେ ପୋନ୍‌ମାର ଅଞ୍ଚଳର ଗୋଟାଏ ନିଛାଟିଆ ଜାଗାରେ ବେତ୍ତିମାରନ୍‌ ଗାଡ଼ି ଅଟକାଇଲେ। ଫଟୋ ପାଇଁ ପୋଜ୍‌ ଦେବାକୁ ନନ୍ଦୀନିଙ୍କୁ କହିଲେ। ତା’ପରେ ବେତ୍ତିମାରନ୍‌ ବାଇକ୍‌ରେ ଆଣିଥିବା ଚେନ୍‌ରେ ନନ୍ଦିନୀଙ୍କ ଦୁଇହାତ ଓ ଗୋଡ଼ ବାନ୍ଧି ପକାଇଥିଲେ।

ଚେନ୍‌ ଖୋଲିବାକୁ ନନ୍ଦିନୀ ଯେତେ ଅନୁରୋଧ କରିଥିଲେ ବି ସେ ଖୋଲିନଥିଲେ। ଏହାପରେ ବ୍ଲେଡ୍‌ରେ ତାଙ୍କ ବେକ ଓ ହାତକୁ କାଟିଦେଇଥିଲେ ବେତ୍ତିମାରନ୍‌। କେବଳ ସେତିକି ନୁହେଁ ନିଜ ସାଙ୍ଗରେ ଆଣିଥିବା ପେଟ୍ରୋଲ୍‌ ନନ୍ଦିନୀଙ୍କ ଉପରେ ଢ଼ାଳି ତାଙ୍କୁ ଜୀବନ୍ତ ଜାଳି ଦେଇଥିଲେ। ଏହାପରେ ଘଟଣାସ୍ଥଳରୁ ବେତ୍ତିମାରନ୍‌ ଫେରାର ହୋଇଯାଇଥିଲେ।

ପରେ ନନ୍ଦିନୀଙ୍କୁ ଏଭଳି ଅବସ୍ଥାରେ ଦେଖି କ‌େତେକ ଲୋକ ପୁଲିସକୁ ଖବର ଦେଲେ। ମୃତ୍ୟୁ ପୂର୍ବରୁ ନନ୍ଦିନୀ ପୁଲିସକୁ ଗୋଟାଏ ଫୋନ୍‌ ନମ୍ବର ଦେଇଥିଲେ। ସେ ନମ୍ବରଟି ବେତ୍ତିମାରନ୍‌ଙ୍କର ଥିଲା । ପ୍ରକୃତ କଥା ଜାଣିବା ପରେ ରବିବାର ଦିନ ତଦନ୍ତକାରୀଟିମ୍‌ ଫେରାର୍‌ ବେତ୍ତିମାରନ୍‌ଙ୍କୁ ଗିରଫ କରିଛି। ତାଙ୍କୁ ବିଚାର ବିଭାଗୀୟ ହାଜତରେ ରଖାଯାଇଛି।

 

Leave a Reply

Your email address will not be published. Required fields are marked *