
ସୂଚନା ମୁତାବକ, ଗତ ୪ତାରିଖ ଦିନ ଟାଙ୍ଗୀ ବ୍ଲକ୍ ରାମଚନ୍ଦ୍ରପୁର ବ୍ଲକ୍ରେ ହାତୀପଲ ତାଣ୍ଡବ ମଚାଇଥିଲେ। ନିଜ ଧାନ କ୍ଷେତ୍ରକୁ ଦୁଇ ଜଣ ଚାଷୀ ଯାଇଥିବା ବେଳେ ହାତୀପଲ ସେମାନଙ୍କୁ ଦଳି ଚକଟି ମାରି ଦେଇଥିଲେ। ରାମଚନ୍ଦ୍ରପୁର ପଞ୍ଚାୟତ ଘଟଣାର ତିନି ସପ୍ତାହ ପରେ ଆଜି ଖୋର୍ଦ୍ଧା ସହର ଉପକଣ୍ଠରେ ଅନୁରୂପ ହାତୀ ଉପଦ୍ରବ ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ତତାଇ ଦେଇଛି। କୌଣସି କାରଣରୁ, ଗ୍ରାମର ଯୁବକ ବିଧାନ ଘରଠାରୁ ଅଳ୍ପ ଦୂର ଧାନ କ୍ଷେତ ଅଞ୍ଚଳକୁ ଯାଇଥିବା ବେଳେ ହଠାତ୍ ହାତୀପଲଙ୍କ ହାବୁଡ଼ରେ ପଡ଼ିଥିଲେ। କେହି କିଛି ଜାଣିବା ପୂର୍ବରୁ ହାତୀପଲ ବିଧାନଙ୍କୁ ଟାଣି ନେଇ ଦଳି ଦେଇଥିଲେ।
ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ବିଧାନଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଚଳିତବର୍ଷ ଶେଷ ହେବାକୁ ଯାଉଥିବା ବେଳେ ଆଜିର ଘଟଣାକୁ ମିଶାଇ ହାତୀ ମୁହଁରେ ଖୋର୍ଦ୍ଧା ଜିଲ୍ଲାର ୯ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ହାତୀ-ମଣିଷ ଲଢ଼େଇ ପାଇଁ ଏବେଠୁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରାନଗଲେ, ଏହା ଯେ, ଆଗକୁ ଆହୁରି ତୀବ୍ର ରୂପ ନେବ ତାହା ନିଃସନ୍ଦେହ।