Spread the love

 

covid

ନୂଆଦିଲ୍ଲୀ : ପୁଣି ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦେଶରେ ଗୋଟିଏ ଦିନରେ ୭୫୨ କୋଭିଡ ମାମଲା ଚିହ୍ନଟ ହୋଇଛି, ଯାହା ମେ’ ୨୧ ପରଠାରୁ ଅର୍ଥାତ୍ ସାତ ମାସ ମଧ୍ୟରେ ସର୍ବାଧିକ। ଏଥିସହ ଚାରି ଜଣ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡ ରିପୋର୍ଟ ପ୍ରକାଶ ପାଇଛି। JN.1 ସବ୍ ଭାରିଆଣ୍ଟ ଚିନ୍ତା ବଢାଇ ଥିବାବେଳେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ନୂଆ ସଂକ୍ରମିତଙ୍କୁ ମିଶାଇଲେ ବର୍ତ୍ତମାନ କୋଭିଡ ସକ୍ରିୟ ମାମଲା ୩,୪୨୦ରେ ପହଞ୍ଚିଛି।
କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ କେରଳରୁ ଦୁଇଜଣ ଏବଂ ରାଜସ୍ଥାନ ଏବଂ କର୍ଣ୍ଣାଟକରୁ ଜଣେ ଲେଖାଏଁ ଅଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ୧୭ ଟି ରାଜ୍ୟରେ କୋଭିଡର ସକ୍ରିୟ ମାମଲା ରହିଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ କେରଳରେ ସର୍ବାଧିକ ୨୬୬ ଜଣ ଥିବାବେଳେ କର୍ଣ୍ଣାଟକରେ (୭୦), ମହାରାଷ୍ଟ୍ର (୧୫), ତାମିଲନାଡୁ (୧୩) ଏବଂ ଗୁଜୁରାଟରେ ୧୨ ରୋଗୀ ଅଛନ୍ତି।
ନୂଆ ମୃତ୍ୟୁକୁ ମିଶାଇଲେ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୫,୩୩,୩୩୨ରେ ପହଞ୍ଚିଛି। ସେହିପରି ୪ କୋଟି ୪୪ ଲକ୍ଷ ୭୦ ହଜାର ୮୮୭ ଜଣ ଲୋକ କରୋନାରୁ ସୁସ୍ଥ ହୋଇ ସାରିଲେଣି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ମହାମାରୀ ତାଲିକାରୁ ହଟାଇ ଦେଇଛି। ଅଧିକାଂଶ ଲୋକକଙ୍କର ଟୀକାକରଣ ମଧ୍ୟ ସରିଛି। ତେଣୁ ଭୟଭୀତ ନ ହୋଇ ସାଧାରଣ ଥଣ୍ଡା-ଜ୍ୱର ଥିଲେ ସତର୍କ ରହିବା ସହ ମାସ୍କ ବ୍ୟବହାର ଏବଂ ହାତ ସଫା ରଖିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

 

Leave a Reply

Your email address will not be published. Required fields are marked *