
ଏକ ଭିଡିଓ ବାର୍ତ୍ତା ଜାରି କରି ଟି ରାଜା କହିଛନ୍ତି, “ଅତୀତରେ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇଥିବା ଜଣେ ବ୍ୟକ୍ତି (ଅକବରଉଦ୍ଦିନ ଓୱେସି)ଙ୍କ ସାମ୍ନାରେ ମୁଁ ଶପଥ ନେଇ ପାରିବି କି? ବଞ୍ଚିଥିବା ଯାଏଁ AIMIM ନେତାଙ୍କ ସାମ୍ମୁଖରେ ଶପଥ ନେବି ନାହିଁ। ପୂର୍ଣ୍ଣକାଳୀନ ବାଚସ୍ପତି ନିଯୁକ୍ତ ହେବା ପରେ ହିଁ ଶପଥ ନେବି।”
ପ୍ରକାଶ ଥାଉ କି, 2018ରେ ମଧ୍ୟ ଟି ରାଜା ଶପଥ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସେତେବେଳେ ମଧ୍ୟ ନିଯୁକ୍ତ କାମଚଳା ବାଚସ୍ପତି AIMIM ର ଥିଲେ। ସେଥିପାଇଁ 2018ରେ ଶପଥ ନେବାକୁ ମନା କରିଥିଲେ ଟି ରାଜା।
ଗତକାଲି ତେଲଙ୍ଗାନା ରାଜ୍ୟପାଳ ବିଧାନସଭାର କାମଚଳା ବାଚସ୍ପତି ଭାବେ ଅକବରଉଦ୍ଦିନଙ୍କ ନାମ ଘୋଷଣା କରିଥିଲେ। ସେ ଆଜି ପ୍ରଥମେ ଶପଥ ଗ୍ରହଣ କରିବେ ଏବଂ ନବ ନିର୍ବାଚିତ ବିଧାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। କିନ୍ତୁ ବିଜେପି ବିଧାୟକ ଟି ରାଜା AIMIM ନେତାଙ୍କ ସମ୍ମୁଖରେ ଶପଥ ପାଠ କରିବେ ନାଇଁ ବୋଲି ସିଧା ସିଧା ମନା କରି ଦେଇଛନ୍ତି।
ସେ କହିଛନ୍ତି, ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ମଧ୍ୟ ପୂର୍ବ ସରକାରର ମୁଖ୍ୟମନ୍ତ୍ରୀ ଥିବା କେସିଆରଙ୍କ ଭଳି AIMIM କୁ ଡରୁଛନ୍ତି। ସେଥିପାଇଁ ସେ ଓୱେସିଙ୍କୁ କାମଚଳା ବାଚସ୍ପତି ହେବାକୁ ଅନୁମତି ଦେଇଛନ୍ତି। ବହୁ ବରିଷ୍ଠ ବିଧାୟକ ଅଛନ୍ତି, ଯେଉଁମାନେ କାମଚଳା ବାଚସ୍ପତି ହୋଇପାରିଥାନ୍ତେ। କିନ୍ତୁ ନୂଆ ମୁଖ୍ୟମନ୍ତ୍ରୀ ସଂଖ୍ୟାଲଘୁ ତଥା ଏଆଇଏମ୍ଆଇଏମ୍ ନେତାମାନଙ୍କୁ ଖୁସି କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଟି ରାଜା।