
ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ ବ୍ୟବସାୟୀକ ସହର ଜୟପୁର। ଏଠାରେ ବିଭିନ୍ନ ନାମୀଦାମି କଂପାନୀର ଦୁଇ ଚକିଆ ବାଇକ, ତିନି ଚକିଆ ଅଟୋ, ଚାରିଚକିଆ କାର, ଜିପ, ଟ୍ରାକ୍ଟର ସହ ଭାରୀଯାନର ବି ସୋ ରୁମ ରହିଛି। ଏହା ସହ ୩୦୦ରୁ ଉର୍ଦ୍ଧ୍ବ ସବୁ ବାହାନର ବିଭିନ୍ନ ରକମର ଗ୍ୟାରେଜ୍ , ଡେଣ୍ଟିଂ, ପ୍ୟାଣ୍ଟିଂ ଓ ସ୍ପେୟାର ପାର୍ଟସ ଦୋକାନ ବି ରହିଛି। ଏହ ସହ ସହରରେ ସାଇକେଲ ଠାରୁ ଆରମ୍ଭ କରି ବଜାର ବି ରହିଛି। ଦିନକୁ ଦିନ ଏହି ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ଏବେ ଜାତୀୟ ରାଜପଥ ୨୬ର ଉଭୟ ପାର୍ଶ୍ବରେ ଗେଟଗୁଡ଼ା ଛକରୁ ସଦରଥାନା ଛକ ପର୍ଯ୍ୟନ୍ତ ଓ ଗାନ୍ଧୀଛକରୁ ହଳଦିଆ ବ୍ରିଜ୍ ଛକ୍ ବିଜୟୱାଡା –ରାଂଚି କରିଡ଼ର ପାୱାରହାଉସ ଛକ ରାସ୍ତାରେ ଶହ ଶହ ଗ୍ୟାରେଜ୍ ସହ ଟ୍ରକ ରାସ୍ତା ପାର୍ଶ୍ବରେ ରଖାଯାଉଥିବା ଦେଖିବାକୁ ମିଳିଛି। ରାସ୍ତା ପାର୍ଶ୍ବରେ ଭାରୀଯାନ ପାର୍କିଂ କରି ରଖିବା ଫଳରେ ଛୋଟବଡ ଦୁର୍ଘଟଣା ସହ ଗାଡ଼ି ଗୁଡିକରେ ଯନ୍ତ୍ରାଂଶ, ବ୍ୟାଟେରୀ, ଗାଡ଼ିରେ ଥିବା ସାମଗ୍ରୀ ବି ଚୋରୀ ହେବା ନଜିର ରହିଛି। ଏନଏଚ ପାର୍ଶ୍ବରେ ଗାଡ଼ି ଗୁଡିକ ପାର୍କିଂ ହୋଇ ରହିବା ଫଳରେ ବହୁ ସମୟରେ ଟ୍ରାଫିକ ଜାମ୍ ବି ହେଉଛି। ଜୟପୁର ଟ୍ରକ ମାଲିକ ସଂଘ ଅଧିନରେ ୩୫୦ଟ୍ରକ ରହିଛି। ସ୍ଥାନୀୟ ଏବଂ ଉତ୍ତରଭାରତର ବିଭିନ୍ନ ରାଜ୍ୟକୁ ଏଠାରୁ ଟ୍ରକରେ ମାଲ ପରିବହନ ହେଉଛି। ସେଭଳି ଓନର୍ସ ଆସୋସିଏସନ ( ଆନ୍ଦ୍ର )ଟ୍ରକ ମାଲିକ ସଂଘରେ ୬୫୦ ଟ୍ରକ ରହିଥିବା କହିଛନ୍ତି ସଂପାଦକ ଶ୍ରୀ ମହାନ୍ତି। ୧୦୦୦ ଟ୍ରକ ପାଇଁ ସ୍ଥାନ ଅଭାବ , ରାସ୍ତା ପାର୍ଶ୍ବର ପାର୍କିଂ ସମସ୍ୟା ଆଦିକୁ ନେଇ ନେଇ ଉଭୟ ସଂଘ ପକ୍ଷରୁ ବାରମ୍ବାର ଜିଲ୍ଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ବି ଟ୍ରକ ଟର୍ମିନାଲ ନ ହେବା ଦୁଃଖଦାୟକ ଘଟଣା ବୋଲି ଉଭୟ ସଂଘ ପକ୍ଷରୁ କୁହାଯାଇଛି।
ପ୍ରସ୍ତାବିତ ଟ୍ରକ୍ ଟର୍ମିନାଲରେ ପାର୍କିଂ ପାଇଁ ବିସ୍ତୃତ ସ୍ଥାନ ସହିତ ଚାଳକ ଓ କର୍ମଚାରୀଙ୍କ ସୁବିଧା ପାଇଁ ଶୌଚାଳୟ ,ଡର୍ମିଟୋରି, ପାନୀୟ ଜଳ ସୁବିଧା, ଫୁଡ୍ ପ୍ଲାଜା, କ୍ୟାଣ୍ଟିନ୍, ଟ୍ରକ୍ ମରାମତି ପାଇଁ ଗ୍ୟାରେଜ୍, ସୁରକ୍ଷାକର୍ମୀଙ୍କ କୋଠାରୀ, କାର୍ଯ୍ୟାଳୟ ଆଦି ନିର୍ମାଣ କରାଯିବ। ଟ୍ରକ୍ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଭିନ୍ନ ଭିନ୍ନ ଦ୍ବାର ରହିବ। ଆବଶ୍ୟକତାକୁ ଦେଖି ଅନ୍ୟାନ୍ୟ ସୁବିଧା ପାଇଁ ପଦକ୍ଷେପ ନିଆଯିବା ଯୋଜନା ରହିଛି। ତେଣୁ ଜୟପୁର ସହରରେ ଗୋଟିଏ ଟ୍ରକ ଟର୍ମିନାଲ ହେଲେ ସହରର ୫୦ପ୍ରତିଶତ ଟ୍ରାଫିକ ଜାମ୍ କମିବା ସହ ସୌନ୍ଦୗର୍ଯ୍ୟ ବି ବୃଦ୍ଦି ପାଇବ ବୋଲି କହିଛନ୍ତି ଟ୍ରକ ମାଲିକ ସଂଘର ସଭାପତି ଶ୍ରୀ ନାୟକ, ଓନର୍ସ ଆସୋସିଏସନର ସଂପାଦକ ଶ୍ରୀ ମହାନ୍ତି ।