
ରାଜ୍ୟ ରାଜଧାନୀର କଳେବର ବୃଦ୍ଧିକୁ ଦେଖି ୧୯୪୯ ଅଗଷ୍ଟ ୧୯ରୁ କଟକରୁ ଭୁବନେଶ୍ୱରକୁ ରାଜଧାନୀ ସ୍ଥାନାନ୍ତର କରାଯାଇଥିଲା। ଏହି ସହରକୁ ଅତ୍ୟାଧୁନିକ ଓ ସୁନ୍ଦର ସ୍ବାସ୍ଥ୍ୟକର ସହର ପରିକଳ୍ପନା କରି ୧୯୪୬ରେ ଜର୍ମାନ୍ ଆର୍କିଟେକ୍ଟ ଓଟୋ କୋନିସ୍ବର୍ଗ ଏହାର ରୂପରେଖ ପ୍ରସ୍ତୁତ କରିଥିଲେ। ଇତିହାସ କହେ ୩ ହଜାର ବର୍ଷ ତଳେ ଏହା ମନ୍ଦିରମାଳିନୀ କଳିଙ୍ଗ ସାମ୍ରାଜ୍ୟ ଭାବେ ପରିଚିତ ଥିଲା। ଭୁବନେଶ୍ୱର ମ୍ୟୁନିସିପାଲିଟିରୁ ଏହା ୧୯୯୪ ଅଗଷ୍ଟ ୧୪ରେ ମହାନଗର ନିଗମରେ ପରିଣତ ହୋଇଛି। ଇତିମଧ୍ୟରେ ୪୫ ଓ୍ବାର୍ଡରୁ ୬୭ ଓ୍ବାର୍ଡକୁ ବୃଦ୍ଧି ପାଇଛି। ଜନସଂଖ୍ୟା ମଧ୍ୟ ୧ଲକ୍ଷରୁ ୧୫ ଲକ୍ଷକୁ ବୃଦ୍ଧି ପାଇଛି। ବିଭିନ୍ନ ଦିଗକୁ ସହରର କଳେବର ବିସ୍ତାରିତ ହେବାରେ ଲାଗିଛି। ସହରରୁ ଦୈନିକ ବାହାରୁଥିବା ୩୦୦ଟନ୍ ଆବର୍ଜନା ଏବେ ୮୦୦ ଟନ୍କୁ ବୃଦ୍ଧି ପାଇଲାଣି। ୨୦୨୩ ମେ’ ୧୫ ତାରିଖରୁ ଭୁଆସୁଣୀ ଡମ୍ପିଂୟାର୍ଡ ବନ୍ଦ ହେବା ପରେ ସୈନିକ ସ୍କୁଲ ଡମ୍ପିଂୟାର୍ଡ ଏକମାତ୍ର ଭରସା ା ସହରରୁ ଦୈନିକ ୮୦୦ ଟନ୍ ଅଳିଆ ଏହି ଡମ୍ପିଂୟାର୍ଡରେ ଗଦା ହେଉଛି। ଗତ ୬ମାସ ମଧ୍ୟରେ ସୈନିକ ସ୍କୁଲ ଡମ୍ପିଂୟାର୍ଡରେ ପ୍ରାୟ ୧ ଲକ୍ଷ ୫ ଟନ୍ ବର୍ଜ୍ୟବସ୍ତୁ ଗଦାହେଲାଣି। ସହର ସାରା ଅଳିଆ ଏଠାକୁ ଆସି ମାସାଧିକ ସମୟ ଧରି ପର୍ବତ ଆକାରରେ ଗଦାହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଅଳିଆ ଚାପ କମାଇବାକୁ ସହରର ବିଭିନ୍ନ ସ୍ଥାନରେ ୪୩ଟି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର(ଏମ୍ସିସି) କରାଯାଇଛି। ସେଥିରୁ ଅଧିକାଂଶ ଅଚଳ ହୋଇପଡ଼ିଛି। ବର୍ଜ୍ୟବସ୍ତୁର ସୁପରିଚାଳନାକୁ ନେଇ କୌଣସି ଦୀର୍ଘମିଆଦୀ ଓ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଅଭାବ ଯୋଗୁ ଆଜି ଏଭଳି ପରିସ୍ଥିତି ଉପୁଜିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ବିଏମ୍ସିକୁ ପରିଚାଳନା କରିବାକୁ ଆସୁଥିବା କମିଶନର ମାତ୍ର ବର୍ଷେ କି ଦୁଇ ବର୍ଷରେ ବଦଳି ହୋଇ ଚାଲିଯାଉଛନ୍ତି। ୨୦୧୪ରୁ ୨୦୨୨ ମଧ୍ୟରେ ୬ ଜଣ କମିଶନର ଓ ପ୍ରଶାସକ ବିଏମ୍ସିରୁ ବଦଳି ହେଲେଣି। ମାତ୍ର ସହରର ମୁଖ୍ୟ ସମସ୍ୟା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଏମ୍ସି କିମ୍ବା ନଗର ଉନ୍ନୟନ ବିଭାଗ ପକ୍ଷରୁ କୌଣସି ଠୋସ୍ ଯୋଜନା ହୋଇପାରିଲା ନାହିଁ। ଏଭଳି ଖାମଖିଆଲ ମନୋଭାବକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ୭ମାସ ପରେ ମଧ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ହୋଇପାରିଲା ନାହିଁ। ଏସମ୍ପର୍କରେ ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଏହି ସମସ୍ୟା ବିଷୟରେ ଆମେ ଅବଗତ ଅଛୁ। ଏ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ୪୦ ଦିନ ମଧ୍ୟରେ ସମାଧାନ ହେବ ବୋଲି ଆଶା କରୁଛୁ।