
ଆଜି ଥିଲା ଗ୍ରାମାଞ୍ଚଳ ଥାନା ବଡ଼ପଡ଼ା ଗାଁର ରତ୍ନାକର ମଲ୍ଲିକଙ୍କ ପୁଅ ବାହାଘର। ତେଣୁ ବରଯାତ୍ରୀଙ୍କ ବାଇକ୍ରେ ପେଟ୍ରୋଲ ପକାଇବା ପାଇଁ ଗୋଟିଏ ଜାର୍ରେ ପେଟ୍ରୋଲ ଅଣାଯାଇଥିଲା। ବରଯାତ୍ରୀ ଶୋଭାଯାତ୍ରା ବାହାରିବା ପୂର୍ବରୁ ବାଇକ୍ରେ ଯାଉଥିବା ଲୋକଙ୍କୁ ପେଟ୍ରୋଲ୍ ବଣ୍ଟା ଯାଉଥିଲା। ଜଣେ ପରେ ଜଣେ ଆସି ପେଟ୍ରୋଲ୍ ନେଇ ନିଜ ବାଇକ୍ରେ ପକାଉଥିଲେ। ତେବେ ଅସାବଧାନତା ଯୋଗୁ ସେହି ପେଟ୍ରୋଲ୍ରେ ନିଆଁ ଲାଗି ଯାଇଥିଲା। ଯାହାଫଳରେ ରତ୍ନାକରଙ୍କ ବନ୍ଧୁଙ୍କ ୫ ବର୍ଷର ଶିଶୁ ପୁତ୍ରର ପୋଡ଼ି ଯାଇଥିଲେ। ପଡୋଶୀ ତପନ ମଲ୍ଲିକ ଓ ଉପେନ୍ଦ୍ର ମଲ୍ଲିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।
ନିଆଁରେ ୨ ବଖରା ଘର ଓ ବାହାଘର ପାଇଁ ସଜା ହୋଇଥିବା ଟେଣ୍ଟ ଜଳିଯାଇଛି। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ହେଲେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପେଟ୍ରୋଲ୍ରେ ସିଗାରେଟ୍ ନିଆଁ ଲାଗିବାରୁ ଏପରି ଭୟଙ୍କର ଘଟଣା ଘଟିଥିବା ଅନୁମାନ କରାଯାଉଛି।